ଆଇସିସି ର଼୍ୟାଙ୍କିଙ୍ଗ : ଟି-୨୦ ଫର୍ମାଟରେ ଭାରତ ହେଲା ନମ୍ବର ଓ୍ବାନ, ହେଲେ ଟେଷ୍ଟ୍ ଓ ଦିନିକିଆରେ..

ମୁମ୍ବାଇ : (ସଂକେତ ଟିଭି) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତାର ବାର୍ଷିକ ର଼୍ୟାଙ୍କିଙ୍ଗ ଜାରି କରିଛି। ଟିମ୍ ଇଣ୍ଡିଆ ଟି-୨୦ ଫର୍ମାଟରେ ନିଜର ଦବଦବା ଜାହିର କରିଥିବା ବେଳେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ନୈରଶ୍ୟଜନକ ସ୍ଥାନରେ ରହିଛି।

ରୋହିତ ଶର୍ମା ଅଧିନାୟକ ହେବା ପରେ ଟିମ ଇଣ୍ଡିଆ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏହାପୂର୍ବରୁ ଗତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ରାଉଣ୍ଡରୁ ବାହାରି ଯାଇଥିଲା। କିନ୍ତୁ ରୋହିତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତୀୟ ଦଳ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି। ଫଳରେ ଟିମ ଇଣ୍ଡିଆ ପୁଣି ଥରେ କ୍ରିକେଟର ଛୋଟ ଫର୍ମାଟରେ ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛି।

ସେପଟେ ସବୁ ଫର୍ମାଟରେ ପାକିସ୍ଥାନ, ଭାରତଠୁ ତଳେ ରହିଛି। ଭାରତ ୨୦୨୧-୨୨ ସିଜନରେ ବିଶ୍ୱର ଏକ ନମ୍ବର ଟି-୨୦ ଦଳ ଭାବେ ସମାପ୍ତ କରିଛି। ଘରୋଇ ଗ୍ରାଉଣ୍ଡରେ ଏହାର ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଦଳ ଏହି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ ଆଇସିସି ବାର୍ଷିକ ମାନ୍ୟତାରେ ଦଳ ଏକ ନମ୍ବର ସ୍ଥାନରେ ରହିଛି।

ଟି-୨୦ ଫର୍ମାଟରେ ୨୭୦ ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ୨୬୫ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟରେ ରହିଛି । ୨୬୧ ପଏଣ୍ଟ ସହ ତୃତୀୟରେ ପାକିସ୍ତାନ ଓ ଚତୁର୍ଥରେ ଦକ୍ଷିଣ ଆଫ୍ରିକା ଏବଂ ପଞ୍ଚମରେ ଟିମ୍ ଅଷ୍ଟ୍ରେଲିଆ ଅଛି। ନ୍ୟୁଜିଲାଣ୍ଡ ଷଷ୍ଠ, ୨୪୦ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ସପ୍ତମ, ୨୩୩ ପଏଣ୍ଟ ସହ ବାଂଲାଦେଶ ଅଷ୍ଟମ, ୨୩୦ ପଏଣ୍ଟ ଶ୍ରୀଲଙ୍କା ନବମ ଏବଂ ଆଫଗାନିସ୍ତାନର ଦଳ ୨୨୬ ରେଟିଂ ପଏଣ୍ଟ ସହିତ ୧୦ ନମ୍ବର ସ୍ଥାନରେ ଅଛି।

ଆଇସିସି ଦିନିକିଆ ଫର୍ମାଟରେ ୧୨୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟରେ ଇଂଲଣ୍ଡ, ତୃତୀୟରେ ଅଷ୍ଟ୍ରେଲିଆ ରହିଛି। ୧୦୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଭାରତ ଅଛି । ୧୦୨ ପଏଣ୍ଟ ସହ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି ।

ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଦବଦବା ଦେଖିବାକୁ ମିଳିଛି । ୧୨୮ ପଏଣ୍ଟ ସହ ରାଙ୍କିଙ୍ଗର ଟପରେ କଙ୍ଗାରୁ ଦଳ ରହିଛି। ୧୧୯ ପଏଣ୍ଟ ସହ ଟିମ୍ ଇଣ୍ଡିଆ ଦ୍ୱିତୀୟରେ, ୧୧୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ତୃତୀୟରେ ଓ ୧୧୦ ପଏଣ୍ଟ ସହ ଚତୁର୍ଥରେ ଦକ୍ଷିଣ ଆଫ୍ରିକା ଥିବାବେଳେ ପଞ୍ଚମରେ ପାକିସ୍ତାନ ଅଛି। ଇଂଲଣ୍ଡ ମାତ୍ର ୮୮ ରେଟିଂ ପଏଣ୍ଟ ରହିଛି। ଏହା ୧୯୯୫ ପରଠାରୁ ସର୍ବନିମ୍ନ। ଜାନୁଆରୀରେ ଆଶେସ ସିରିଜରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୪-୦ରେ ପରାସ୍ତ କରିଥିଲା। ଫଳରେ ଇଂଲଣ୍ଡ ପଏଣ୍ଟ ହ୍ରାସ ପାଇଛି।