ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ : (ସଂକେତ ଟିଭି) ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି । ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା । ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ । ଏନେଇ ଭାରତ ପକ୍ଷରୁ ରୁଷ ଉପରେ ଚାପ ମଧ୍ୟ ପକା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୦୫ ଡଲାର ରହିଛି । ହେଲେ ରୁଷ ଠାରୁ ଭାରତ ସରକାର ବ୍ୟାରେଲ ପିଛା ୭୦ ଡଲାରରୁ କମ ଦାମରେ ତୈଳ ଆମଦାନୀ କରିବାକୁ ଚାହୁଁଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖରେ ମଧ୍ୟ କମଦାମରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ପାରିବ । ଭାରତର ଏପରି ପ୍ରସ୍ତାବ ଉପରେ ଏବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି । ୟୁକ୍ରେନ ଉପରେ ହମଲା କରିବା ଦିନ ଠାରୁ ରୁଷ ଠାରୁ ଉଭୟ ଘରୋଇ ଓ ସରକାରୀ ରିଫାଇନାରୀଗୁଡ଼ିକ ୪୦ ମିଲିୟନ ବ୍ୟାରେଲରୁ ଅଧିକ ତୈଳ ଆମଦାନୀ କରି ସାରିଲେଣି ।

୨୦୨୧ରେ ଯେତିକି ତୈଳ ଆମଦାନୀ ହୋଇଥିଲା, ତା’ଠାରୁ ପ୍ରାୟ ୨୦% ଅଧିକ ତେଲ ବର୍ତ୍ତମାନ ରୁଷରୁ ଭାରତକୁ ଆସିସାରିଲାଣି । ଭାରତ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୮୫% ତୈଳ ଆମଦାନୀ କରିଥାଏ । ରୁଷ ସରକାର ୟୁକ୍ରେନ ଉପରେ ହମଲା କରିବାରୁ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଲଗାଇଛନ୍ତି । ଏପରି ସ୍ଥିତିରେ କିଛି ହାତ ଗଣତି ଦେଶ ହିଁ ରୁଷ ଠାରୁ ତୈଳ ଆମଦାନୀ କରୁଛନ୍ତି । ଏହା ମଧ୍ୟରେ ଭାରତ ମଧ୍ୟ ରହିଛି । ରୁଷ ଯଦି ଏବେ ଭାରତର ଅତି ଶସ୍ତା ଡିଲ୍‌ରେ ରାଜି ହେବ, ତା’ହେଲେ ସରକାରୀ ରିଫାଇନାରୀ ଗୁଡ଼ିକ ମାସିକ ୧୫ ମିଲିୟନ ବ୍ୟାରେଲ ଆମଦାନୀ କରିପାରିବେ । ଏହା ମୋଟ ଆମଦାନୀର ପ୍ରାୟ ଏକ ଦଶମାଂଶ ।

ସେହିପରି ଘରୋଇ କମ୍ପାନୀ ଗୁଡ଼ିକ ନିଜର କ୍ଷମତା ଅନୁସାରେ ତୈଳ ଆମଦାନୀ କରିପାରିବାର ଅଧିକାର ପାଇବେ ବୋଲି ଗୋଟିଏ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।