ବଡ ଷଡଯନ୍ତ୍ର , ହିନ୍ଦୀ ଜାଣିଥିବା ଯୁବକଙ୍କୁ ନିଜ ସେନାରେ ଭର୍ତ୍ତି କରୁଛି ଚୀନ

ନୂଆଦିଲ୍ଲୀ : (ସଂକେତ ଟିଭି) ଭାରତର ଗୁଇନ୍ଦା ତଥ୍ୟ ବିଷୟରେ ସୂଚନା ସଂଗ୍ରହ କରିବା ଏବଂ ବାସ୍ତବିକ ନିୟନ୍ତ୍ରଣ ରେଖା ଆଖପାଖ ବିଷୟରେ ଜାଣିବା ପାଇଁ ହିନ୍ଦୀ ଜାଣିଥିବା ଯୁବକଙ୍କୁ ନିଜ ସେନାରେ ଭର୍ତ୍ତି କରିବାରେ ଲାଗିଛି ଚୀନ। ଓ୍ଵେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅନ୍ତର୍ଗତ ତିବ୍ବତ ମିଲିଟାରୀ ଡିଷ୍ଟ୍ରିକ୍ଟ ଚଳିତ ବର୍ଷ ଏପ୍ରିଲରେ ହିନ୍ଦୀ ଶିଖିଥିବା ଯୁବକଙ୍କ ଭର୍ତ୍ତି ଆରମ୍ଭ କରିଥିଲା। ଚୀନ ସେନାର ଓ୍ଵେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଭାରତ ସଂଲଗ୍ନ ସୀମାର ସୁରକ୍ଷା ଦାୟିତ୍ଵ ସମ୍ଭାଳିଥାନ୍ତି। ଏହା ବାଦ୍ ଲଦାଖ ଉପରେ ନଜର ରଖୁଥିବା ସିନଜିୟାଙ୍ଗ ମିଲିଟାରୀ ଡିଷ୍ଟ୍ରିକ୍ଟ ମଧ୍ୟ ଏହି କମାଣ୍ଡ ଅଧୀନରେ କାମ କରିଥାଏ।

ଗୁଇନ୍ଦା ତଥ୍ୟ ଅନୁଯାୟୀ, ତିବ୍ବତ ଡିଷ୍ଟ୍ରିକ୍ଟ ଚୀନର ଅନେକ କଲେଜ ଏବଂ ବିଶ୍ଵ ବିଦ୍ୟାଳୟ ପରିଦର୍ଶନ କରିଛି। ଏହି ସମୟରେ ଛାତ୍ରଙ୍କୁ ହିନ୍ଦୀ ଭାଷା ଶିଖିବା ଉପରେ ଗୁରୁତ୍ଵ ଦେବାକୁ କହିଛି। ଯଦ୍ଵାରା ସେମାନଙ୍କୁ ପିଏଲଏରେ ଭର୍ତ୍ତି କରାଯାଇ ପାରିବ। କେବଳ ଏତିକି ନୁହେଁ ଗତ କିଛି ମାସରେ ପିଏଲଏ ବଡ ସଂଖ୍ୟାରେ ଏମିତି ତିବ୍ବତ ଲୋକଙ୍କୁ ନିଯୁକ୍ତ କରିଛି, ଯେଉଁମାନେ ହିନ୍ଦୀ କହି ପାରନ୍ତି ଏବଂ ବୁଝି ପାରନ୍ତି। ଏହି ଲୋକଙ୍କୁ ଭାରତର ଉତ୍ତର ସୀମାରେ ମୁତୟନ କରାଯାଉଛି।

ଭାରତ ମଧ୍ୟ ଚୀନ ରଣନୀତିକୁ କାଉଣ୍ଟର କରିବାକୁ ପ୍ରସ୍ତୁତି ଚଳାଇଛି। ଗତ ଦିନରେ ଭାରତୀୟ ସେନା ନିଜ ଯବାନଙ୍କ ପାଇଁ ତିବ୍ବତଲୋଜି କୋର୍ସ ଆରମ୍ଭ କରିଛି। ଏଥିରେ ଯବାନ ତିବ୍ବତ ଭାଷା ସହ ମନ୍ଦାରିନ ମଧ୍ୟ ଜାଣି ପାରିବେ। ଫଳରେ ଭାରତୀୟ ସେନା ଚୀନର ରଣନୀତିକୁ ବୁଝିବାରେ ସହଜ ହେବ।

ସୂଚନାଯୋଗ୍ୟ, ୨୦୨୦ ମେରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକତାରେ ଭାରତୀୟ ସେନା ଏବଂ ପିପୁଲ୍ସ ଲିବେରେସନ ଆର୍ମି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। ଏହା ପରଠୁ ଚୀନ ନିଜ ସେନାରେ ତିବ୍ବତଙ୍କ ନିଯୁକ୍ତି ବଢାଇ ଦେଇଛି।