୨୦୨୫ରେ ଖୋଲିବ ବିଶ୍ୱର ପ୍ରଥମ ମହାକାଶ ହୋଟେଲ

ନୂଆଦିଲ୍ଲୀ : (ସଂକେତ ଟିଭି) ମହାକାଶର ଚମତ୍କାର, ଅବିଶ୍ୱସନୀୟ ଓ ଅକଳ୍ପନୀୟ ଦୃଶ୍ୟ ମାଧ୍ୟମରେ ହୋଟେଲ ସୁବିଧାର ମଜା ଉଠାଇବା ସ୍ୱପ୍ନ ଭଳି ମନେହେଉଛି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେରିକୀୟ ମହାକାଶ ସ୍ପେସ୍‌ କନ୍‌ଷ୍ଟ୍ରକ୍‌ସନ କମ୍ପାନି ଅର୍ବିଟାଲ୍‌ ଆସେମ୍ୱ୍ଲି କର୍ପୋରେସନ୍ ଏହି ସ୍ୱ୍ନକୁ ସତରେ ରୂପାନ୍ତରିତ କରିବାକୁ ଯାଉଛି ।

କମ୍ପାନିର କହିବା ଅନୁସାରେ, ୨୦୨୫ରେ ଏହା ବିଶ୍ୱର ପ୍ରଥମ ମହାକାଶ ହୋଟେଲ ଖୋଲିବ । ଏହାର ନାମ ଦିଆଯିବ “ପାୟୋନିୟର ଷ୍ଟେସନ୍‌’ । ମହାକାଶ ହୋଟେଲ ନିର୍ମାଣର ପ୍ରସ୍ତାବ ସର୍ବ ପ୍ରଥମେ ୨୦୧୯ରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ, ହୋଟେଲଟି ଏକ ଘୂର୍ଣ୍ଣାୟମାନ ଚକ ଆକୃତିର ହେବ । ଏହା ପୃଥିବୀର ପରିକ୍ରମା କରିବ । କେବଳ ପାୟୋନିୟର ଷ୍ଟେସନ୍ ନୁହେଁ, ଭୋଏର୍ଜ ଷ୍ଟେସନ୍‌ ନାମକ ମହାକାଶ ହୋଟେଲ ୨୦୨୭ରେ ମଧ୍ୟ ଖୋଲିବ । ପାୟୋନିୟର୍ରେ ୨୮ ଜଣ ବ୍ୟକ୍ତି ୨ ସପ୍ତାହ ପାଇଁ ଏକସଙ୍ଗେ ରହିପାରିବେ ।

ସେପଟେ, ଭୋଏଜର୍ର କ୍ଷମତା ୪୦୦ ଲୋକଙ୍କ ପାଇଁ ହେବ । କମ୍ପାନି ଅନୁସାରେ, ଦୁଇଟିଯାକ ମହାକାଶ ହୋଟେଲ ବିଳାସପୂର୍ଣ୍ଣ ଓ ଭବ୍ୟ ହେବ । ଏଠାରେ ଆଗନ୍ତୁକଙ୍କ ସୁବିଧା ପାଇଁ କୃତ୍ରିମ ମାଧ୍ୟାକର୍ଷଣ ହେବ । ପୃଥିବୀ ଭଳି ଲୋକେ ଏଠାରେ ସ୍ନାନ, ବସିବା, ଉଠିବା, ଚାଲିବା, ଖାଇବା ଭଳି ସାଧାରଣ କାର୍ଯ୍ୟକଳାପ କରିପାରିବେ । ଏବେ ସୁଦ୍ଧା ଏହି ଟେକ୍ନୋଲୋଜି ମହାକାଶର କୌଣସି ସ୍ପେସ୍ ଷ୍ଟେସନ୍‌ରେ ଉପଲବ୍ଧ ନାହିଁ ।

ଅର୍ବିଟାଲ୍ ଆସେମ୍ୱ୍ଲି କର୍ପୋରେସନ୍‌ର ସିଓଓ ଟିମ୍ ଅଲ୍ଟୋରେଙ୍କ କହିବା ଅନୁସାରେ, ମହାକାଶପ୍ରେମୀଙ୍କ ପାଇଁ ଏହା ବିଜ୍ଞାନ ଓ କଳ୍ପନାର ସ୍ବପ୍ନଠାରୁ କମ୍ ହେବ ନାହିଁ । ମହାକାଶ ହୋଟେଲର ଆଭ୍ୟନ୍ତରୀଣ ଡିଜାଇନ୍‌ ପୃଥିବୀର ବିଳାସପୂର୍ଣ୍ଣ ହୋଟେଲ ଭଳି ହେବ । ମହାକାଶ ହୋଟେଲରେ ବାସ୍କେଟ୍‌ବଲ କୋର୍ଟ, ଭବ୍ୟ ବଖରା, ରେସ୍ତୋରାଁ ଭଳି ଅନେକ ସୁବିଧା ପ୍ରଦାନ କରାଯିବ । ଗତ କିଛି ବର୍ଷରୁ ମହାକାଶ ପର୍ଯ୍ୟଟନ ସର୍ବଦା ଖବରର ଶିରୋନାମା ହୋଇ ରହିଛି ।

ଆମେରିକୀୟ ଅରବପତି ଜେଫ୍‌ ବେଜୋସଙ୍କ କମ୍ପାନି ବ୍ଲୁ ଅରିଜିନ୍‌, ରିଚାର୍ଡ ବ୍ରାନ୍‌ସନ୍‌ଙ୍କ କମ୍ପାନି ଭର୍ଜିନ୍‌ ଗାଲାକ୍ଟିକ୍ ଓ ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍ ଏକ୍ସ ପୂର୍ବରୁ ସାଧାରଣ ଲୋକଙ୍କୁ ମହାକାଶ ଭ୍ରମଣ କରାଇ ସାରିଛି । ଏଥିରେ ପ୍ରଚୁର ମାତ୍ରାର ଅର୍ଥ ଖର୍ଚ୍ଚ ହୋଇଛି । ଅଲ୍ଟୋରେ କହିଛନ୍ତି, ମହାକାଶ ହୋଟେଲକୁ ଶସ୍ତା କରିବାକୁ ସେ ପ୍ରୟାସ କରୁଛନ୍ତି । ତେବେ ଏଠାରେ ରହିବାର ଖର୍ଚ୍ଚ କେତେ ହେବ, ସେ ବିଷୟରେ କମ୍ପାନି କିଛି ସୂଚନା ଦେଇନାହିଁ ।

ଅର୍ବିଟାଲ୍ ଆସେମ୍ୱ୍ଲି କର୍ପୋରେସନ୍‌ର ଲକ୍ଷ୍ୟ ମହାକାଶରେ ବିଜ୍‌ନେସ୍ ପାର୍କ ନିର୍ମାଣ କରିବା । ଏଠାରେ ଘରଠୁ ଆରମ୍ଭ କରି ଅଫିସ୍‌ ଆଦି ରହିବ । ପର୍ଯ୍ୟଟକ ମଧ୍ୟ ମହାକାଶ ଦୃଶ୍ୟର ଆନନ୍ଦ ଉଠାଇପାରିବେ ।