ବିସିସିଆଇ ପାଇଁ ଘାଟା ଖରାପ ଟିଭି ରେଟିଂ

ମୁମ୍ବାଇ : (ସଂକେତ ଟିଭି) ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ଅଧା ସିଜିନ ଶେଷ ହୋଇ ସାରିଛି । ଏବେ ପ୍ଲେ ଅଫ ପାଇଁ ଦଳଗୁଡିକ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଛି । ଗୋଟିଏ ପଟେ ପଡିଆରେ ଖେଳାଳି ଝାଳ ବୁହାଉଥିବା ବେଳେ ଅନ୍ୟପଟେ ଚିନ୍ତାରେ ବିସିସିଆଇ । କାରଣ ଆଗାମୀ ସିଜିନ ପାଇଁ ଆଇପିଏଲ ମିଡିଆ ରାଇଟ୍ସର ଟେଣ୍ଡର ବାହାରି ସାରିଛି । ଶୀଘ୍ର ବୋର୍ଡ କାହାକୁ ମିଳିବ ମିଡିଆ ରାଇଟ୍ସ ଶୀଘ୍ର ଘୋଷଣା କରିବାକୁ ଯାଉଛି ।

ଆଇପିଏଲ ୨୦୨୨ ଟିଭି ରେଟିଂ ହିସାବରେ ଚଳିତ ଥର ବହୁତ ଦୁର୍ବଳ ରହିଛି । ଆଇପିଏଲର ପ୍ରାରମ୍ଭିକ ଦୁଇ ତିନି ସପ୍ତାହରେ ଟିଭି ରେଟିଙ୍ଗ୍ସ ୩୦ ପ୍ରତିଶତ ହ୍ରାସ ଘଟିଛି । ଚିନ୍ତାର ବିଷୟ ଏହା ଯେଉଁ ସମୟରେ ଟିଭି ରାଇଟ୍ସ ମିଳିବାର ସମୟ ସେହି ସମୟରେ ରେଟିଂ କମିବା ନିଲାମରେ ନକରାତ୍ମକ ପ୍ରଭାବ ପକାଇପାରେ ।

ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲ ଆଇପିଏଲ ରେଟିଂ ହ୍ରାସ ପାଉଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏହା ଚିନ୍ତାର ବିଷୟ ନୁହେଁ । ଟିଭି ରେଟିଂରେ ନିଶ୍ଚୟ ହ୍ରାସ ଘଟିଛି, ମାତ୍ର ମିଡିଆ ରାଇଟ୍ସ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।ବୃଜେଶ ପଟେଲ୍ କହିଛନ୍ତି, ଲକଡାଉନ ପରେ ସବୁ ଖୋଲିଛି ଏବଂ ଲୋକେ ଘରୁ ବାହାରିଛନ୍ତି । ଏହି ସମୟରେ ସେମାନେ ପବ, ବାର, କ୍ଲବ ଏବଂ ରେସ୍ତୋରାଁରେ ମ୍ୟାଚ୍ ଦେଖୁଛନ୍ତି, କାରଣ ରାତିରେ ଲୋକେ ସେହି ସ୍ଥାନରେ ସମୟ କାଟୁଛନ୍ତି । ତେଣୁ ଆଇପିଏଲର ଲୋକପ୍ରିୟତା ଉପରେ କୌଣସି ଫରକ ପଡୁନାହିଁ ।

ଆଇପିଏଲର ମିଡିଆ ରାଇଟ୍ସ ୨୦୨୩-୨୭ ପାଇଁ ରହିବ । ବିସିସିଆଇ ଆଶା ରଖିଛି ଯେ, ଏଥିରେ ୪୦ ରୁ ୫୦ ହଜାର କୋଟି ଟଙ୍କା ଆୟ ହୋଇପାରେ । ମିଡିଆ ରାଇଟ୍ସ ପାଇଁ ଦାବିଦାରଙ୍କ ଲମ୍ବା ତାଲିକା ମଧ୍ୟ ରହିଛି । ଏଥିରେ ଷ୍ଟାର ବ୍ୟତୀତ ସୋନି, ଭାୟକମ ୧୮, ଆମାଜନ, ନେଟଫ୍ଲିକ୍ସ ସମେତ ଅନ୍ୟ ଚ୍ୟାନେଲ ଦୌଡରେ ଅଛନ୍ତି ।