ନିଆଁ ସହ ନଖେଳନ୍ତୁ ଅମିତ୍ ଶାହା: ମମତା ବାନାର୍ଜୀ

କୋଲକାତା : (ସଂକେତ ଟିଭି) କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁବାର ପଶ୍ଚିମବଙ୍ଗ ଗସ୍ତ କରି ସିଲିଗୁଡ଼ି ରେଲୱେ ସଂସ୍ଥାନର ଖେଲ୍ ମୈଦାନରେ ଜନସମାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋର୍‌ଦାର ସମାଲୋଚନା କରି କହିଥିଲେ କି ମମତା ଆର୍ଥିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗକୁ କାଙ୍ଗାଳ କରିସାରିଲେଣି । ବେଙ୍ଗଲବାସୀ ଦିଦିଙ୍କୁ ତୃତୀୟଥର ସୁଯୋଗ ଦେଇଛନ୍ତି । କିନ୍ତୁ ରାଜ୍ୟରେ ଭ୍ରଷ୍ଟାଚାର, ସିଣ୍ଡିକେଟ ଓ ଭାଜପା ନେତା ଓ କର୍ମୀଙ୍କୁ ହତ୍ୟା ଏଯାବତ୍‌ ରାଜ୍ୟରେ ବନ୍ଦ ହୋଇନାହିଁ ।

ଏହା ଶୁଣି ରକ୍ତ ଚାଉଳ ଚୋବାଇବା ପରି ମମତା ଗର୍ଜିବା ଆରମ୍ଭ କରିଦେଇଥିଲେ । ସେ ବି ଅମିତ୍ ଶାହାଙ୍କୁ ଜବାବ ଦେଇ କହିଛନ୍ତି କି ଅମିତ୍ ଶାହା ନିଆଁ ସହିତ ନଖେଳିବା ଉଚିତ୍ । ଗୃହମନ୍ତ୍ରୀ ସିବିଆଇକୁ ଢ଼ାଲ କରି ଅଯଥାରେ ପଶ୍ଚିମବଙ୍ଗରେ ଚଢ଼ାଉ କରୁଛନ୍ତି । ଏପରିକି ଇଦ୍ ଭଳି ପବିତ୍ର ଦିନରେ ମୁସ୍‌ଲିମ୍ ସଂପ୍ରଦାୟକୁ ଶୁଭେଚ୍ଛା ଦେବା ଭୁଲିଯାଇଥିବା ମମତା କହିଛନ୍ତି । ରାଜ୍ୟରେ ରାଜନୈତିକ ଅଶାନ୍ତର ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ଶାହା ଚକ୍ରାନ୍ତ ଚଳାଉଛନ୍ତି । କିନ୍ତୁ ଏହାକୁ ସେ କେବେ ବି କରିବାକୁ ଦେବେନାହିଁ ବୋଲି ମମତା କହିଛନ୍ତି ।