ଆଇପିଏଲରେ ଚମକ ଦେଖାଉଛନ୍ତି ରିଙ୍କୁ ସିଂ

ମୁମ୍ବାଇ : (ସଂକେତ ଟିଭି) ଦିନେ ଯେଉଁ ହାତ ଝାଡୁ ଧରି ସଫେଇ କରୁଥିଲା, ଆଜି ସେହି ହାତ ବ୍ୟାଟ୍ ଧରି ଛକ୍କା ମାରୁଛି । ଆମେ କହୁଛୁ କ୍ରିକେଟର ରିଙ୍କୁ ସିଂଙ୍କ କଥା । ଉତ୍ତରପ୍ରଦେଶ ଆଲିଗଡ଼ର ଗରିବ ପରିବାରର ରିଙ୍କୁ ଏବେ ଆଇପିଏଲରେ ନିଜର ଚମକ ଦେଖାଉଛନ୍ତି । ଅନେକ ଘାତ ପ୍ରତିଘାତ ଦେଇ କ୍ରିକେଟର ହୋଇଥିବା ରିଙ୍କୁ ଏବେ କୋଲକାତା ନାଇଟ୍ ରାଇଡର୍ସ ପାଇଁ କରୁଛନ୍ତି ଚମକପ୍ରଦ ପ୍ରଦର୍ଶନ ।

ଗରିବ ପରିବାରର ରିଙ୍କୁ ସିଂ । ବାପା ଘରେ ଘରେ ଗ୍ୟାସ୍‌ ସିଲିଣ୍ଡର ଦେବା କାମ କରିଥାନ୍ତି । ରିଙ୍କୁଙ୍କ ମୋଟ୍ ୫ ଭାଇ ଭଉଣୀ । ବାପାଙ୍କ ପାଇଁ ପରିବାର ଚଳାଇବା ବେଶ୍ କଷ୍ଟକର ଥିଲା । ବାପା ଚାହଁଥିଲେ ରିଙ୍କୁ ଭଲ ପାଠ ପଢିବ, ଚାକିରି କରିବ । ହେଲେ ପାଠ ପ୍ରତି ରିଙ୍କୁଙ୍କ ଆଗ୍ରହ ନଥିଲା । ସ୍କୁଲ ଯିବାକୁ କହି ଖେଳିବାକୁ ପଳାଉଥିଲେ ସେ । ଖେଳ ପ୍ରତି ଆଗ୍ରହ ଥିଲେ ବି କ୍ରିକେଟ୍ କିଟ୍‌ ଯୋଗାଇ ଦେବାକୁ ସକ୍ଷମ ନଥିଲେ ତାଙ୍କ ବାପା । ରିଙ୍କୁଙ୍କ ଜଣେ ସାଙ୍ଗ ତାଙ୍କୁ ସବୁ କିଟ୍ ଯୋଗାଇ ଦେଉଥିଲେ ।

ଜୀବନରେ ଏପରି ସମୟ ଆସିଥିଲା ଯେ, ପରିବାର ଚଳାଇବା ପାଇଁ କିଛି ଦିନ ସଫେଇ କର୍ମଚାରୀ ଭାବେ କାମ କରିଥିଲେ ରିଙ୍କୁ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଛନ୍ତି ରିଙ୍କୁ ସିଂ । ୨୩ ବଲରେ ୪୨ ରନର ଇନିଂସ ଖେଳିଥିଲେ । ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହେବା ସହ ରିଙ୍କୁ ହୋଇଥିଲେ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍ । ସବୁଠୁ ବଡ଼ କଥା ହେଉଛି ଲଗାତର ୫ଟି ମ୍ୟାଚ୍ ପରାସ୍ତ ହେବା ପରେ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ବିଜୟୀ ହୋଇଥିଲା କେକେଆର । ଏହି ପ୍ରଦର୍ଶନ ପରେ କୋଲକାତା ଟିମ୍ ପାଇଁ ହିରୋ ହୋଇଯାଇଛନ୍ତି ଛୋଟ ସହରର ଏହି ବଡ଼ ତାରକା ।