ସ୍ଥଳ ଭାଗକୁ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା, ହେଲେ ଉପକୂଳରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର : (ସଂକେତ ଟିଭି) ଆଉ ସ୍ଥଳ ଭାଗକୁ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା । ହେଲେ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡିଶା ଉପକୂଳର ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଭଳି ଉପକୂଳ ବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ୧୦ ତାରିଖରେ ଉପକୂଳରୁ ପାଖାପାଖି ୧୫୦ କିମି ଦୂରରୁ ଏହା ନିଜର ଗତିପଥ ପରିବର୍ତ୍ତନ କରିବ ଏବଂ ସମୁଦ୍ର ଭିତରେ ହିଁ ରହିବ । ଯାହାର ପ୍ରଭାବରେ ୧୦ ତାରିଖ ଏବଂ ୧୧ ତାରିଖ ଦୁଇଦିନ ବର୍ଷା ହେବ । ଏହି ସମୟ ଭିତରେ ପବନର ବେଗ ୪୦ ରୁ ୪୫ କିମି ପ୍ରତି ଘଣ୍ଟା ରହିବ । ଆଜି ସନ୍ଧ୍ୟାରେ ଏହା ଅବପାତରେ ପରିଣତ ହୋଇ ଆସନ୍ତା କାଲି ବାତ୍ୟାର ରୂପ ନେବ ।

ସମ୍ଭାବ୍ୟ ବାତ୍ୟା ଗତି ପଥ ପରିବର୍ତ୍ତନ କରି ସମୁଦ୍ର ମଧ୍ୟରେ ଦୁର୍ବଳ ହେବ। ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ର ଅବପାତ ରେ ରୂପ ନେବା ସମ୍ଭାବନା । ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲି ଠାରୁ ପବନର ବେଗ ବଢ଼ିବ । ୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ, ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି । ସେହିପରି ୧୧ ତାରିଖରେ ୭୦ ରୁ ୮୦ କିଲୋମିଟର ଏବଂ ଝଟକା ପବନ ବେଗ ୯୦ କିଲୋମିଟର ରହିପାରେ । ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏଥିସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଯଥାଶୀଘ୍ର ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।