ପୁଣି ୫୦ଟଙ୍କା ମହଙ୍ଗା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ : (ସଂକେତ ଟିଭି) ଘରୋଇ ଏଲ୍‌ପିଜି ସିଲିଣ୍ଡର୍‌ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଶନିବାରଠାରୁ ସାରା ଦେଶରେ ଲାଗୁ ହୋଇଯାଇଛି । ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅଣରିହାତି ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଟ. ୯୯୯.୫୦ ହୋଇଛି।

ଏହା ପୂର୍ବରୁ ଘରୋଇ ଏଲପିଜି ଗ୍ୟାସ୍ ଦର ମାର୍ଚ୍ଚ ୨୨ ତାରିଖରେ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ହୋଇଥିଲା । ଫଳରେ ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ଏସପିଜି ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ହୋଇଯାଇଥିଲା । ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଆଜି ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବୃଦ୍ଧି ସେମାନଙ୍କୁ ଚିନ୍ତିତ କରିପକାଇଛି।

ପେଟ୍ରୋଲିୟମ୍ ଉଦ୍ୟୋଗର ପ୍ରାଥମିକ ଆକଳନ ଅନୁଯାୟୀ, ଅପ୍ରେଲରେ ଏଲପିଜି ବ୍ୟବହାର ମାସକୁ ୯.୧ ପ୍ରତିଶତ ହ୍ରାସ ପାଇ ୨୨ ଲକ୍ଷ ଟନ୍ ରହିଥିଲା । ଯାହା ଅପ୍ରେଲ ୨୦୨୧ ତୁଳନାରେ ୫.୧ ପ୍ରତିଶତ ଅଧିକ । ମାର୍ଚ୍ଚ ପୂର୍ବରୁ ଘରୋଇ ଏଲପିଜି ମୂଲ୍ୟ ଗତବର୍ଷ ୬ ଅକ୍ଟୋବରରେ ପରିବର୍ତ୍ତନ କରାଯାଇଥିଲା ।

ମେ ୧ରେ ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲେ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୦୨.୫୦ ଟଙ୍କା ମହଙ୍ଗା ହୋଇଥିଲା । ନୂଆ ମୂଲ୍ୟ ଲାଗୁ ହେବା ପରେ ଦିଲ୍ଲୀରେ ମେ’ ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୨୫୩ରୁ ବୃଦ୍ଧି ପାଇ ୨୩୫୫ ଟଙ୍କା ହୋଇଛି ।