ଚୀନ୍‌ରେ କରୋନା ପ୍ରକୋପ ଯୋଗୁଁ ଏସିଆନ୍ ଗେମ୍ସ ସ୍ଥଗିତ

ନୂଆଦିଲ୍ଲୀ : (ସଂକେତ ଟିଭି) ଚୀନରେ କରୋନା ସଂକ୍ରମଣ ଭୟାନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୋୟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସ ଅନିର୍ଦ୍ଦଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରା ଯାଇଛି । ପରିସ୍ଥିତିରେ ସୁଧାର ଆସିଲେ ଏସିଆନ ଗେମ୍ସ ପୁଣି କେବେ ଅନୁଷ୍ଠିତ ହେବ, ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ।

ସଂପ୍ରତି ଚୀନର ସାଂଘାଇ ସହରରେ କରୋନା ପରିସ୍ଥିତି ସାଂଘାତିକ ପରିସ୍ଥିତି ସୃଷ୍ଟି କରି ଥିବାରୁ ଳକ୍ ଡାଉନ ଜାରି କରା ଯାଇଛି । ତେଣୁ ଚୀନରେ କରୋନା ପରିସ୍ଥିତି ଓ ଏସିଆନ ଗେମ୍ସ ଆୟୋଜନ ନେଇ ଶୁକ୍ରବାର ଦିନ ଅଲିମ୍ପିକ୍ କାଉନସିଲ ଅଫ ଏସିଆ (ଓସିଏ) ବୈଠକ ଅନୁଷ୍ଠିତ ହୋଇ ଥିଲା । ତେଣୁ କରୋନା ପରିସ୍ଥିତି ମଧ୍ୟରେ ଏସିଆନ ଗେମ୍ସ ଆୟୋଜନ ନ କରି ସ୍ଥଗିତ ରଖିବା ଉପଯୁକ୍ତ ନିଷ୍ପତ୍ତି ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ଚାଇନିଜ ଅଲିମ୍ପିକ୍ କମିଟି ଓ ହାଙ୍ଗଝୋୟୁ ଏସିଆନ ଗେମ୍ସ ସାଂଗଠନିକ କମିଟି ସହିତ ଅଲିମ୍ପିକ୍‌ କାଉନସିଲ ଅଫ ଏସିଆ କର୍ମକର୍ତ୍ତା ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରା ଯାଇଛି । ତେବେ ୧୯ତମ ଏସିଆନ ଗେମ୍ସର ନାମ ଓ ଏମ୍ବେ୍‌ମ ଅପରିବର୍ତ୍ତିତ ରହିବ ଓ ପୁଣି ଭବିଷ୍ୟତରେ କେବେ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ,ତାହା ସ୍ଥିର ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୂଚନା ଯୋଗ୍ୟ ଯେ ଏସିଆନ ଗେମ୍ସରେ ୧୧ ହଜାର ଆଥଲେଟ ୬୧ କ୍ରୀଡା ଇଭେଣ୍ଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସାଂଘାଇ ସହରର ଠାରୁ ୧୭୫ କିମି ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ୍ ଝେଜାଙ୍ଗ ପ୍ରଦେଶର ରାଜଧାନୀ ହେଉଛି ହାଙ୍ଗଝୋୟୁ । ସଦ୍ୟ ସୂଚନା ମୁତାବକ ଝେଚାଙ୍ଗ ପ୍ରଦେଶରେ ତିନି ହଜାର ଉପରେ କରୋନା ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିଛି । ତେଣୁ ଏସିଆନ ଗେମ୍ସ ସହିତ ଆସନ୍ତା ଡିସେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଚୀନର ସାନ୍ତେୟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଏସିଆନ ୟୁଥ୍ ଗେମ୍ସ ମଧ୍ୟ ଅନିର୍ଦ୍ଦିଷ୍ଟ କାଳପାଇଁ ବାତିଲ ଘୋଷଣା କରା ଯାଇଛି । ତେଣୁ ପରବର୍ତ୍ତୀ ଏସିଆନ ୟୁଥ ଗେମ୍ସ ଆସନ୍ତା ୨୦୨୫ରେ ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରା ଯାଇଛି ।