ହୁ ର ୪୭ ଲକ୍ଷ କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : (ସଂକେତ ଟିଭି) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର କୋଭିଡ ମୃତ୍ଯୁ ସଂଖ୍ୟା ରିପୋର୍ଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହୁ ରିପୋର୍ଟ ଅନୁଯାୟୀ କୋଭିଡ ଯୋଗୁ ଭାରତରେ ୪୭ଲକ୍ଷ ଲୋକଙ୍କ ମୃତ୍ଯୁ ଘଟିଛି । ତେବେ କେନ୍ଦ୍ର ସରକାର ହୁ ରିପୋର୍ଟକୁ ସ୍ୱୀକାର କରୁନାହାନ୍ତି । ତେବେ ଏ ପ୍ରସଙ୍ଗ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଏକ ଟ୍ୱିଟ୍‌ରେ ସେ କହିଛନ୍ତି, ବିଜ୍ଞାନ ମିଛ କହେ ନାହିଁ ହେଲେ ମୋଦି କହନ୍ତି ।

ହୁ’ର ରିପୋର୍ଟ ଅନୁଯାୟୀ ଭାରତ ସରକାର କୋଭିଡ ଜନିତ ମୃତ୍ଯୁକୁ ଲୁଚାଇଛନ୍ତି । ଏ ସମ୍ପର୍କରେ ରାହୁଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ସରକାର କୋଭିଡ ଯୋଗୁ ୪.୮ ଲକ୍ଷ ଲୋକ ମୃତ୍ଯୁବରଣ କରିଥିବା ନେଇ ଯେଉଁ ତଥ୍ୟ ଦେଉଛନ୍ତି, ତାହା ଠିକ ନୁହେଁ । କୋଭିଡ ମହାମାରୀରେ ୪୭ ଲକ୍ଷଙ୍କର ମୃତୁ୍ୟ ଘଟିଛି । ବିଜ୍ଞାନ ମିଛ କହେ ନାହିଁ । ଯେଉଁ ପରିବାରର ସଦସ୍ୟମାନେ ମୃତ୍ଯୁବରଣ କରିଛନ୍ତି, ସେମାନଙ୍କୁ ସମ୍ମାନ କରୁଛି । ସରକାର ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି ।

ରାହୁଲଙ୍କ ଟ୍ୱିଟ୍‌ ଉପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ୨୦୧୪ରୁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ନିଚା ଦେଖାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହାସହ ମଧ୍ୟ ସେ ଭାରତର ଛବିକୁ ମଳିନ ପକାଇବା ଲାଗି ଉଦ୍ୟମ କରୁଛନ୍ତି । ସିଏ ଯାହା କହୁଛନ୍ତି, ତାହା ଭୁଲ ।

ହୁ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀ ୨୦୨୦ରୁ ଡିସେମ୍ବର ୨୦୨୧ ମଧ୍ୟରେ ୪୭ ଲକ୍ଷ କୋଭିଡ ଜନିତ ମୃତ୍ଯୁ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ଏହା ୧୦ଗୁଣା । ତେବେ ଭାରତ ପକ୍ଷରୁ ହୁ ଯେଉଁ ଗାଣିତିକ ମଡେଲରେ କୋଭିଡ ମୃତ୍ଯୁକୁ ହିସାବ କରିଛି, ତାହା ଖାରଜ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାସ୍ତବତା ଠାରୁ ଏହି ପରିସଂଖ୍ୟାନ ଭିନ୍ନ । ଦେଶରେ ଜନ୍ମ-ମୃତ୍ଯୁ ପଞ୍ଜିକରଣ ପାଇଁ ବ୍ୟବସ୍ଥା ରହିଛି । ହୁ’ର ତଥ୍ୟ ପରିସଂଖ୍ୟାନ ଦୃଷ୍ଟିରୁ ଠିକ୍‌ ନୁହେଁ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ସବୁବେଳେ ହୁ’ର ଏହି ତଥ୍ୟକୁ ନେଇ ପ୍ରଶ୍ନ କରିଛି । ୧୭ ରାଜ୍ୟର ୱେବ୍‌ସାଇଟ୍‌ରେ ତଥ୍ୟ ଗଣମାଧ୍ୟମକୁ ନେଇ ଗାଣିତିକ ମଡେଲ ପ୍ରସ୍ତୁତ କରାଯାଇଛି । ଯାହା ପରିସଂଖ୍ୟାନ ଦୃଷ୍ଟିରୁ ଠିକ ନୁହେଁ । ଭାରତ ମଧ୍ୟ ହୁ’ର ଏହି ମେଥଡଲୋଜି ଉପରେ ଆପତ୍ତି ଉଠାଇଛି ।

ସେହିଭଳି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଗୋଟିଏ ମଡେଲ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ ନୁହେଁ ବୋଲି ସେମାନେ କହିଛନ୍ତି । ଭାରତର କୋଭିଡ୍‌ ୱାର୍କିଂ ଗୃପର ମୁଖ୍ୟ ଡ. ଏନ୍‌କେ ଆରୋରା କହିଛନ୍ତି ଯେ, ହୁ’ର ରିପୋର୍ଟ ବିବ୍ରତ କରୁଛି । ପ୍ରକୃତ ମୃତ୍ୟୁଠାରୁ କିଭଳି ୧୦ରୁ ୨୦% ଅଧିକ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି, ଭାରତ ପକ୍ଷରୁ ହୁ’କୁ କୁହାଯାଇଛି ଯେ ଯେଉୂଁ ପଦ୍ଧତିରେ ଆକଳନ କରାଯାଇଛି, ତାହା ଗ୍ରହଣୀୟ ନୁହେଁ । ଆମେ ସେଥିରେ ସହମତି ନାହୁଁ । ସେମାନେ ବିଭିନ୍ନ ବିଭିନ୍ନ ରାଷ୍ଟ୍ର ପାଇଁ ଗ୍ରହଣ କରିଥିବା ପଦ୍ଧତି ଅନୁସରଣ କରି ତଥ୍ୟ ସଂଗ୍ରହ କରିଛନ୍ତି । ଆମର ମଧ୍ୟ ଏକ ସମାନ୍ତରାଳ ବ୍ୟବସ୍ଥା ରହିଛି । ସିଭିଲି ରେଜିଷ୍ଟ୍ରେସନ ସିଷ୍ଟମ ପକ୍ଷରୁ ମଧ୍ୟ ୨୦୨୦ ଓ ୨୦୨୧ ମୃତ୍ୟୁକୁ ନେଇ ତଥ୍ୟ ଦିଆଯାଇଛି । ଦୁର୍ଭାଗ୍ୟପୂର୍ଣ୍ଣ ଏହା ଯେ, ଆମର ବାରମ୍ବାର ଆପତ୍ତି ଓ ଯୋଗାଯୋଗ ପରେ ବି ସେମାନେ ତାଙ୍କ ମଡେଲ୍‌ରେ ଆକଳନ କରିଛନ୍ତି । ଏଭଳି ଆକଳନ ଭାରତର ପ୍ରଦର୍ଶନକୁ ନିମ୍ନଗାମୀ କରିଛି ।