ନିଜ ରେକର୍ଡ ଭାଙ୍ଗିଲେ ଉମ୍ରାନ, ଘଣ୍ଟା ପ୍ରତି ୧୫୭ କିମି ବେଗରେ ବୋଲିଂ କଲେ

ମୁମ୍ବାଇ : (ସଂକେତ ଟିଭି) ଜମ୍ମୁର ସ୍ପିଡଷ୍ଟର ଉମ୍ରାନ ମଲିକ ଚଳିତ ଆଇପିଏଲରେ ଆଉ ଏକ ରେକର୍ଡ ଭାଙ୍ଗି ଯାଇଛି । ନିଜର ଦ୍ରୁତ ବୋଲିଂ ପାଇଁ ରାତାରାତି ଷ୍ଟାର ବନିଥିବା ଉମ୍ରାନ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ଯାଚରେ ଘଣ୍ଟା ପ୍ରତି ୧୫୭ କିମି ବେଗରେ ବଲ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି । ମୁମ୍ବାଇର ବ୍ରବୋର୍ଣ୍ଣ ଷ୍ଟାଡିୟମରେ ଉମ୍ରାନ କୌଣସି ୱିକେଟ ପାଇ ନଥିଲେ ମଧ୍ୟ ନିଜ ସ୍ପିଡ ବୋଲିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ଗୁରୁବାରରେ ଅନୁଷ୍ଠିତ ଏହି ମ୍ୟାଚରେ ଉମ୍ରାନ ପ୍ରଥମେ ୧୫୪.୮ କିମି ବେଗରେ ବୋଲିଂ କରିଥିଲେ । ଏହାପରେ ନିଜ ରେକର୍ଡକୁ ଭାଙ୍ଗି ୧୫୬ କିମି ବେଗରେ ବ୍ୟାଟରଙ୍କୁ ଆଟାକ କରିଥିଲେ । ଚଳିତ ଆଇପିଏଲରେ ଏହା ସବୁଠାରୁ ଦ୍ରୁତ ବଲ ଥିଲା । ହେଲେ ଉମ୍ରାନ ଏତିକିରେ ହାର ମାନିବା ମୁଡରେ ନଥିଲେ । ସେ ନିଜ ରେକର୍ଡକୁ ଭାଙ୍ଗି ପୁଣିଥରେ ୧୫୭ କିମି ବେଗରେ ବୋଲିଂ କରିଥିଲେ । ଏହି ରେକର୍ଡ ବେକ୍ରିଂ ବଲରେ ସାମ୍ନା ଦିଲ୍ଲୀର ରୋଭମାନ ପାୱେଲ କରିଥିଲେ । ତେବେ ସେ ଏହାକୁ ଖାତିର ନ କରି ଚୌକା ମାରି ଦେଇଥିଲେ ।

ପୂର୍ବ ମ୍ୟାଚ୍ ରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଘଣ୍ଟା ପ୍ରତି ୧୫୪ କିମି ବେଗରେ ଗୋଟିଏ ୟର୍କର ପକାଇଥିଲେ । ହେଲେ ଏହି ମ୍ଯାଚରେ ସେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ଚଳିତ ଆଇପିଏଲରେ ଏଯାଏ ଉମ୍ରାନଙ୍କ ଠାରୁ ଅଧିକ ବେଗରେ କେହି ବି ବୋଲିଂ କରି ନାହାନ୍ତି । ତାଙ୍କ ପଛକୁ ଗୁଜରାଟ ପାଇଁ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ ରହିଛନ୍ତି । ସେ ଘଣ୍ଟାପ୍ରତି ୧୫୩ କିମି ଠାରୁ ସାମାନ୍ୟ ଅଧିକ ସ୍ପିଡରେ ବୋଲିଂ କରିଛନ୍ତି । ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ବଲ ପକାଇବାର ରେକର୍ଡ ଶନ ଟେଟ୍‌ଙ୍କ ନାଁରେ ରହିଛି । ସେ ଘଣ୍ଟାପ୍ରତି ୧୫୭.୩ କିମି ବେଗରେ ବଲ ପକାଇଥିଲା । ତାଙ୍କ ପଛକୁ ଉମ୍ରାନ ମଲିକ ରହିଛନ୍ତି ।

ତୃତୀୟରେ ଅନରିଚ ନୋର୍ଖିୟା ୧୫୬.୨ କିମି, ୪ର୍ଥରେ ପୁଣି ଉମ୍ରାନ ମଲିକ ୧୫୬ କିମି ଓ ୫ମରେ ନୋର୍ଖିୟା ୧୫୫.୨ କିମି ରହିଛନ୍ତି । ଉମ୍ରାନଙ୍କ ଏପରି ସ୍ପିଡ ଦେଖି କ୍ରିକେଟ ପଣ୍ଡିତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଭାରତ ପାଇଁ ଆଗମୀ ଦିନରେ ପ୍ରତିନିଧିତ୍ୱ କରିବେ ଓ ଯଶପ୍ରୀତ ବୁମରାଙ୍କ ସହ ତାଙ୍କର ଯୁଗଳ ବନ୍ଦୀ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିବ ବୋଲି ସମସ୍ତେ କହୁଛନ୍ତି ।