ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ନେଇ ସ୍ମୃତି ଇରାନୀଙ୍କ ଟ୍ୱିଟ୍ ଭାଇରାଲ

ନୂଆଦିଲ୍ଲୀ : (ସଂକେତ ଟିଭି) ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ମୂଲ୍ୟ ବୃଦ୍ଧି ପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନେଇ ତତ୍କାଳିନ କଂଗ୍ରେସ ସରକାରଙ୍କୁ ନିନ୍ଦା କରି ବିଜେପି ନେତ୍ରୀ ଏହି ଟ୍ୱିଟ କରିଥିଲେ।

ଦେଶର ମହଙ୍ଗାକୁ କଂଗ୍ରେସ ଉପରେ ଆକ୍ରାମକ ହୋଇ ପ୍ରଦର୍ଶନ କରି ସ୍ମୃତି ଚର୍ଚ୍ଚାକୁ ଆସିଥିଲେ। ସମୟ ସମୟରେ ସ୍ମୃତି ଇରାନୀଙ୍କ ରାଲି ଆଉ ଧାରଣାର ପୁରୁଣା ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେଉଛି। ଯେଉଁଥିରେ ତତ୍କାଳୀନ ବିଜେପିର ଜାତୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ମହଙ୍ଗାକୁ ନେଇ କଂଗ୍ରସକୁ ନିନ୍ଦା କରିଛନ୍ତି।

ସ୍ମୃତି ଇରାନୀଙ୍କ ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରୁ ୨୦୧୧ ମସିହା ଜୁନ ୨୪ ତାରିଖରେ କରାଯାଇଥିଲା। ସେଥିରେ ଲେଖାଯାଇଛି, ‘LPG ୫୦ ଟଙ୍କା ବଢିଲା!! ଆଉ ସେମାନେ ନିଜକୁ ସାଧାରଣ ଜନତାଙ୍କ ସରକାର ବୋଲି କହୁଛନ୍ତି। ଲଜ୍ୟା!’ ତେବେ ଏହି ଟ୍ୱିଟରେ ବିଜେପି ନେତ୍ରୀ କାହାର ନାମ ଉଲ୍ଲେଖ କରିନାହାନ୍ତି। ୨୦୧୧ରେ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ମନମୋହନ ସିଂହଙ୍କ ସରକାର ଥିଲା। ଆଉ ସେହି ସମୟରେ ଜୟପାଲ ରେଡ୍ଡୀ, ପେଟ୍ରୋଲିୟମ ଓ ପ୍ରାକୃତୀକ ଗ୍ୟାସ ମନ୍ତ୍ରୀ ଥିଲେ।

ୟୁପିଏ ସରକାର ସମୟରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଓ ମହଙ୍ଗା ଏଲପିଜି ଦର ବୃଦ୍ଧିକୁ ନେଇ ବିରୋଧୀ ବିଜେପି ଖୁବ ହୋହାଲ୍ଲା, ପ୍ରଦର୍ଶନ କରିଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ମୃତି ଇରାନୀ ବିଜେପିର ପ୍ରମୁଖ ନେତା ଥିଲେ। ମୁଣ୍ଡରେ ଗ୍ୟାସ ସିଲିଣ୍ଡର ବୋହି, ରାସ୍ତା ଅବରୋଧ କରି ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୂଶପୁତଳିକା ଦାହ କରି ବିଜେପି ମହଙ୍ଗାର ପ୍ରତିବାଦ କରିଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ମଧ୍ୟ ସେହି ପୁରୁଣା ଦିନ ଦେଖିବାକୁ ମିଳିଛି।