କରୋନାଜନିତ ମୃତ୍ୟୁସଂଖ୍ୟା ଭାରତରେ ସର୍ବାଧିକ, ଡବ୍ଲୁଏଚ୍‌ଓ ରିପୋର୍ଟକୁ କେନ୍ଦ୍ରର ଅସ୍ୱୀକାର

ନୂଆଦିଲ୍ଲୀ : (ସଂକେତ ଟିଭି) କରୋନାଜନିତ ମୃତ୍ୟୁସଂଖ୍ୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଯେଉଁ ରିପୋର୍ଟ ଦେଉଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଭାରତ ଦର୍ଶାଇଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଛି କି ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ରହିଛି । ଡବ୍ଲ୍ୟୁଏଚ୍‌ଓର ଏହି ରିପୋର୍ଟକୁ ଭାରତ ଚାଲେଞ୍ଜ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର ।

କୋଭିଡ୍ ମୃତକଙ୍କ ରିପୋର୍ଟ ଜାରି କରି ଡବ୍ଲୁଏଚଓ କହିଛି ଯେ, ମହାମାରୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଶ୍ୱରେ ୧୪.୯ ମିଲିଅନ ଲୋକେ ପ୍ରାଣ ହରାଇଛନ୍ତି । ସେଥିରୁ ଭାରତର କେବଳ ୪.୭ ମିଲିଅନ ରହିଛି । ତେବେ ଏହି ରିପୋର୍ଟକୁ ଅସ୍ୱୀକାର କରିଛି ଭାରତ । ନିକଟରେ ଭାରତ ସରକାର କରୋନା ମୃତକଙ୍କ ତଥ୍ୟ ଜାରି କରିଥିଲେ ।

ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡରେ ମୃତକଙ୍କର ଯେଉଁ ତଥ୍ୟ ଜାରି କରିଛି ଏଥିରେ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରେ ବହୁ ଫରକ ରହିଥିବା ଦେଖିବାକୁ ମିଳିଛି । ଡବ୍ଲୁଏଚଓ ମୁତାବକ ୧ ଜାନୁୟାରୀ ୨୦୨୦ରୁ ୩୧ ଡିସେମ୍ୱର ୨୦୨୧ ମଧ୍ୟରେ ୪୭ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଯାହାକୁ ଅସ୍ୱୀକାର କରିଛି ଭାରତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ସାରା ବିଶ୍ୱରେ ହୋଇଥିବା ମୃତକଙ୍କ ସଂଖ୍ୟା ସଠିକ ଗଣନା ହୋଇନାହିଁ ।