ବ୍ରଜରାଜନଗର ଉପନିର୍ବାଚନ : ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର (ସଂକେତ୍ ଟିଭି) : ବ୍ରଜରାଜନଗର ଉପନିର୍ବାଚନ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିଜେପି ତାର ପ୍ରାର୍ଥୀ କରିଛି। ବିଜେପି କେନ୍ଦ୍ରୀୟ କମିଟି ରାଧାରାଣୀଙ୍କ ନାମରେ ମୋହର ମାରିଛି ।

ଆଗରୁ ରାଧାରାଣୀ ପଣ୍ଡାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ରହିଥିବାକୁ ଦଳ ତାଙ୍କୁ କହିଥିବା ସେ ସୂଚନା ଦେଇଥିଲେ। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର୍ ହେବ ବୋଲି କୁହାଯାଉଛି।

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ଗତବର୍ଷ ଡିସେମ୍ବରରେ ହୃଦଘାତରେ କିଶୋରଙ୍କ ଦେହାନ୍ତ ହୋଇଥିଲା । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ ଏବଂ ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।