ୟୁରୋପୀୟ ସଂଘର କଟକଣା ତାଲିକାରେ ପୁଟିନ୍‌ଙ୍କ ପ୍ରେମିକା

ୱାସିଂଟନ୍‌ (ସଂକେତ୍ ଟିଭି) : ୟୁରୋପୀୟ ସଂଘ ର ପ୍ରସ୍ତାବିତ ୬ଷ୍ଠ ପର୍ଯ୍ୟାୟ କଟକଣା ତାଲିକାରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବେଏଭାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।

ସ୍ମରଣଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ରୁଷ୍‌ ଉପରେ ‘ୟୁରୋପୀୟ ସଂଘ’ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିଭିନ୍ନ ପର୍ଯ୍ୟାୟରେ କଟକଣା ଜାରି କରୁଛନ୍ତି । ଦୁଇଟି ୟୁରୋପୀୟ କୂଟନୈତିକ ସୂତ୍ର ଅନୁସାରେ, ପୁଟିନ୍‌ଙ୍କ ସହିତ ରୋମାଣ୍ଟିକ୍‌ ସମ୍ପର୍କ ଥିବା କାବାଏଭାଙ୍କୁ ପ୍ରସ୍ତାବିତ ‘ୟୁରୋପୀୟ ସଂଘ’ କଟକଣା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ, ଚିଠା ଅବସ୍ଥାରେ ଥିବା ଏହି କଟକଣା ପ୍ରସ୍ତାବରେ ‘ୟୁରୋପୀୟ ସଂଘ’ ଔପଚାରିକ ଭାବେ ସ୍ୱାକ୍ଷର କରିନାହିଁ ।

ଶୁକ୍ରବାର ଦିନ ଗୋଟିଏ କୂଟନେତିକ ସୂତ୍ର କହିଛି, ଆଲୋଚନା ଚାଲିଛି । ଏହାକୁ ଲାଗୁ କରିବା ସହଜ କଥା ନୁହେଁ । ଅପେକ୍ଷା କର, ଦେଖ କ’ଣ ହେଉଛି । କାଭାଏଭାଙ୍କ ପ୍ରତି କଟକଣା ଲାଗୁ ହେବ କି, ନାହିଁ ସେ ସମ୍ପର୍କରେ ଆମେରିକାର ସରକାରୀ ଅଧିକାରୀମାନେ ବିତର୍କ କରୁଛନ୍ତ ବୋଲି ଏପ୍ରିଲ୍‌ ମାସରେ ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଥିଲା । କାରଣ ଏଭଳି କଟକଣା ପୁଟିନ୍‌ଙ୍କୁ ବ୍ୟକ୍ତିଗତ ଭାବେ ମର୍ମାହତ କରିବାର ସମ୍ଭାବନା ଥିବାରୁ ଉତ୍ତେଜନା ତୀବ୍ରତର ହୋଇପାରେ ବୋଲି ସେମାନେ ଚିନ୍ତାପ୍ରକଟ କରୁଥିଲେ ।

ସୂଚନାଯୋଗ୍ୟ, ୧୯୮୩ରେ ଜନ୍ମିତା କାବାଏଭାଙ୍କର ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ପୁଟିନ୍‌ଙ୍କ ସହିତ ସମ୍ପର୍କ ରହିଛି । ସେତେବେଳେ କାବାଏଭା ଥିଲେ ଜଣେ ପଦକ ବିଜୟିନୀ ‘ଜିମ୍ନାଷ୍ଟ୍‌’ । କିନ୍ତୁ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ପାଇଥିବା ପୁଟିନ୍‌ କାବାଏଭାଙ୍କ ସହ ଥିବା ସମ୍ପର୍କକୁ ପୂର୍ବରୁ ଅସ୍ୱୀକାର କରିଛନ୍ତି । କାବାଏଭାଙ୍କ ବ୍ୟତୀତ ‘ରଷିଆନ୍‌ ଅର୍ଥୋଡୋକ୍ସ୍‌ ଚର୍ଚ’ର ମୁଖ୍ୟ ପାଟ୍ରିଆକ୍‌ କିରିଲ୍‌ଙ୍କ ନାଁ ମଧ୍ୟ ୬ଷ୍ଠ ପର୍ଯ୍ୟାୟ କଟକଣା ତାଲିକାରେ ରହିଛି ।