ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ବର (ସଂକେତ୍ ଟିଭି) : ରାସ୍ତା କଡରେ ଛିଡ଼ା ହୋଇଥିବା ଶାଗୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ଭୋର୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ବାହାନଗା ଛକରେ ଛିଡ଼ା ହୋଇଥିବା ଶାଗୁ ବୋଝେଇ ଟ୍ରକକୁ ବାଲି ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଲି ବୋଝେଇ ଟ୍ରକର ଡ୍ରାଇଭର ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ସଞ୍ଜୟ ଧଡ଼ା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଘର ବାସୁଦେବପୁର ଚୁଡାମଣି ଅଞ୍ଚଳରେ ଜଣାପଡ଼ିଛି।

ଅଗ୍ନିଶମ ବାହିନୀ, ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ଡ୍ରାଇଭରକୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ତହସିଲ କର୍ମଚାରୀ ପହଞ୍ଚି ୧୦ ହଜାର ଟଙ୍କାର ସହାୟତା ରାଶି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।