ବ୍ରହ୍ମଣୀ ନଦୀରେ ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ

ଢେଙ୍କାନାଳ (ସଂକେତ୍ ଟିଭି) : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟସ୍ଥ ବାଲି ପଡା ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ତିନି ଜଣ ଜଣ ଛାତ୍ର ଭାସି ଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି ।

ନିଖୋଜ ଛାତ୍ର ହେଲେ ସ୍ଥାନୀୟ ନୂଆପଡା ଗ୍ରାମର ସୁଧାବିନ୍ଦୁ ବେହେରା ଓ ସେ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ସମସ୍ତ ଛାତ୍ର ସ୍ଥାନୀୟ ରାଧାଦେଇପୁର ଉଚ୍ଚ ବିଦ୍ୟାଳୟର ବୋଲି ସୂଚନା ମିଳିଛି । ତେବେ ନୂଆପଡାର ମୁନା ସାହୁ ଓ ସୁଭମ ଜେନା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଉଭୟ ସୁସ୍ଥ ତଥା ସୁରକ୍ଷିତ ଅଛନ୍ତି ।

ଆଜି ମଧ୍ୟାହ୍ନରେ ବାଲି ପଡା ବ୍ରାହ୍ମଣୀ ଘାଟକୁ ତିନିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ନଦୀର ଗଣ୍ଡରେ ପଡିଯିବାରୁ ସୁଧାବିନ୍ଦୁ ଆଉ ବାହାରି ପାରିନଥିଲେ। ଫଳରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ମୁନା ସାହୁ ଓ ଶୁଭମ ଜେନା ପାଟି କରିବାରୁ ନଦୀ ଘଟ ପାଖରେ ଥିବା ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଂଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।