ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର (ସଂକେତ୍ ଟିଭି) : ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୧ ତାରିଖରେ ଅଳକା ମହାନ୍ତି ନାମାଙ୍କନପତ୍ର ଦାଖଲ କରିପାରନ୍ତି ।

ଆଜି ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ । ସୂଚନା ଥାଉକି, ଆସନ୍ତା ମେ ୩୧ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଗତ ଡିସେମ୍ବର ୩୦ ତାରିଖ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିଲା ଆସନ ।

ବିଜେଡି ଟିକେଟ୍ ପାଇବା ପରେ ଅଳକା କହିଛନ୍ତି ଯେ ସେ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ । ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେଇଛନ୍ତି ବୋଲି ସେ କହିଛନ୍ତି ।

ଗତକାଲି ବିଜେପି ପକ୍ଷରୁ ଘୋଷଣା ହୋଇଥିଲା ପ୍ରାର୍ଥୀ । ବିଜେପିରୁ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନି । ତଥାପି କିଶୋର ପଟେଲଙ୍କ ଦଳୀୟ ପ୍ରାର୍ଥୀ କରିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇଛି ।