ଉତ୍କଳ ବିଶ୍ୱବିଦ୍ୟାଳୟରେ ଖର୍ଚ୍ଚ ହୋଇପାରୁନି ୫୦୦ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ (ସଂକେତ୍ ଟିଭି) :ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି । ଏହି ଅର୍ଥକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରିାରିନାହାନ୍ତି । ଟଙ୍କା ପଡ଼ି ରହିଥିଲେ ହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି । ଏକଥା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ କର୍ତ୍ତୃକ୍ଷଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି । ଏଥିସହ ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏନେଇ ସେ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ଚିଠିରେ ଶ୍ରୀ ମିଶ୍ର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ତେଣୁ ଅନ୍ୟମାନଙ୍କ ଠାରୁ କାହିଁକି ସହାୟତା ମଗାଯାଉଛି? ଅନ୍ୟକୁ ଅର୍ଥ ମାଗିବା ଅପେକ୍ଷା ବିଶ୍ୱବିଦ୍ୟାଳୟ କର୍ତ୍ତୃକ୍ଷ ନିଜ ପାଖରେ ପଡ଼ି ରହିଥିବା ଅର୍ଥକୁ ଉପଯୋଗ କରନ୍ତୁ । ପଡ଼ି ରହିଥିବା ଟଙ୍କାକୁ ଖର୍ଚ୍ଚ କରିବା ପାଇଁ ଶ୍ରୀ ମିଶ୍ର ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ଭୂତତ୍ତ୍ୱ ବିଭାଗର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସିକୁ ଆର୍ଥିକ ସହାୟତା ମଗାଯାଇଥିଲା । ଏକକାଳୀନ ଭାବେ ୧୦ କୋଟି ଓ ଆସନ୍ତା ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବ ଉପରେ ଓଏମସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ଏ ଦିଗରେ କେଣସି ଅର୍ଥ ଦିଆଯାଇଛି କି ନାହିଁ ସେକଥା ଜାଣିବାକୁ ଚାହିଁଥିଲେ ଓଏମସି କର୍ତ୍ତୃପକ୍ଷ । ଏହାପରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତାର ହାତ ବଢ଼ାଉଛନ୍ତି । ବିଶ୍ୱବିଦ୍ୟାଳୟ ପାଖରେ ମହଜୁଦ ଥିବା ଅର୍ଥକୁ ବ୍ୟବହାର କରି କର୍ତ୍ତୃପକ୍ଷ ଭୂତତ୍ତ୍ୱ ବିଭାଗର ବିକାଶ ସହଜରେ କରିପାରିବେ ।

ଏବେ ବିଶ୍ୱବିଦ୍ୟାଳୟ ପାଖରେ ପ୍ରାୟ ୫ଶହ କୋଟି ଟଙ୍କା ମହଜୁଦ ରହିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃକ୍ଷ ଓଏମସି କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ଆର୍ଥିକ ସହାୟତା ମାଗିବା ଠିକ୍‌ ନୁହେଁ । ସରକାର ଉତ୍କଳ ବିଶ୍ୱ ବିଦ୍ୟାଳୟର ଏହି ଆବେଦନକୁ ଅନୁମତି ବର୍ତ୍ତମାନ ଦେଇପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ କୁହାଯାଇଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃକ୍ଷ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଏଯାଏ ଦେଇନାହାନ୍ତି ।