ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍ । ୨୦୧୯ରେ କମ୍ପାନି ବନ୍ଦ ହୋଇଥିବା ବେଳେ ଏବେ ପୁଣି ଥରେ ଜେଟ୍ ଏୟାରୱେଜର ବିମାନ ଆକାଶରେ ଉଡ଼ିବ ବୋଲି ଜଣାପଡ଼ିଛି । ଏନେଇ ଜେଟ ଏୟାରୱେଜକୁ ଗୃହ ମନ୍ତ୍ରାଳୟ ସୁରକ୍ଷା କ୍ଲିୟରାନ୍ସ ଦେଇଛି ।

ସରକାରୀ ଦଲିଲ ଅନୁଯାୟୀ ଜେଟ ଏୟାରୱେଜର ବିମାନ କିଛି ମାସ ମଧ୍ୟରେ ନିଜର ଉଡ଼ାଣ ଆରମ୍ଭ କରିବାକୁ ଯାଉଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କମ୍ପାନିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ ଗୃହ ମନ୍ତ୍ରାଳୟ ଜେଟ ଏୟାରୱେଜକୁ ଆବଶ୍ୟକ ଥିବା ସମସ୍ତ ସୁରକ୍ଷା କ୍ଲିୟରାନ୍ସ ଦେଇଛନ୍ତି । ଏପ୍ରିଲ୍ ୨୦୧୯ଠାରୁ ବନ୍ଦ ହୋଇଥିବା ଏହି ବିମାନ କମ୍ପାନି ଏକ ନୂତନ ଅବତାର ପାଇବାକୁ ଯାଉଛି । ଜେଟ ଏୟାରୱେଜର ନୂତନ ମାଲିକ ହୋଇଛନ୍ତି ଜାଲାନ୍ କାଲ୍ରକ୍ କନ୍ସୋର୍ଟିୟମ୍ ।

ଗତ ଗୁରୁବାର ଦିନ କମ୍ପାନି ହାଇଦ୍ରାବାଦ ବିମାନବନ୍ଦରରେ ନିଜର ଗୋଟିଏ ବିମାନର ଉଡ଼ାଣ ପରୀକ୍ଷା କରିଥିବା ଦେଖାଯାଇଥିଲା । ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ପୁଣି ଥରେ ଜେଟ୍ ଏୟାରୱେଜର ବିମାନ ଆକାଶରେ ଉଡ଼ିବାକୁ ଯାଉଛି । ଭାରତୀୟ ବିମାନ ଶିଳ୍ପରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିବ । ଏହା ପୂର୍ବରୁ ବିଜୟ ମାଲ୍ୟାଙ୍କ ବିମାନ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହେବା ପରେ ତାହାକୁ ପୁନରୁଦ୍ଧାର କରାଯାଇପାରିନଥିଲା ।