‘ଗୋବିନ୍ଦା ନାମ୍ ମେରା’ ଏକ ନିଆରା ଫିଲ୍ମ : କିଆରା ଆଡଭାନୀ

ମୁମ୍ବାଇ (ସଂକେତ୍ ଟିଭି) : ଆଗାମି ଫିଲ୍ମ ‘ଗୋବିନ୍ଦା ନାମ୍ ମେରା’କୁ ଅନନ୍ୟ ବୋଲି କହିଛନ୍ତି କିଆରା ଆଡ଼ଭାନି । ଏହି ପ୍ରୋଜେକ୍ଟର ଅଂଶ ହୋଇ ସେ ବେଶ ରୋମାଞ୍ଚିତ ଅନୁଭବ କରୁଛନ୍ତି । ଫିଲ୍ମରେ ତାଙ୍କ ସହ ଭିକି କୌଶଲ ଓ ଭୂମି ପେଣ୍ଡେକର ଅଭିନୟ କରିଛନ୍ତି । ଆସନ୍ତା ଜୁନ୍ ୧୦ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ ।

ଫିଲ୍ମକୁ ଅନନ୍ୟ କହିବାର କାରଣ କିଆରା କହନ୍ତି, ଏ ଧରଣର ଫିଲ୍ମ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ । ତାଙ୍କ ମତରେ, ଏହା ନିଶ୍ଚିତ ଭାବେ ଭିନ୍ନ ଧରଣର । ଏଥିରେ ନୂଆ କଥା ଭରିବାକୁ ଚେଷ୍ଟା କରାଯାଇଛି । ଫିଲ୍ମ ଟିମ୍ ଯେମିତି ଏହାକୁ ବେଶ୍‌ ମଜାଦାର ବୋଲି କହୁଛନ୍ତି, ଦର୍ଶକ ମଧ୍ୟ ଠିକ୍ ସେମିତି ଅନୁଭବ କରିବେ ବୋଲି କିଆରା ଆଶାବାଦୀ ।

ସେ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ଭୂଲ୍ ଭୂଲୈୟା-୨’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ତାଙ୍କ ହାତରେ ମଲ୍ଟିଷ୍ଟାରର କମେଡି-ଡ୍ରାମା ‘ଜୁଗ୍ ଜୁଗ୍ ଜିୟୋ’ ରହିଛି । ରାଜ୍ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ କପୁର, ନିତୁ କପୁର, ବରୁଣ ଧୱନ, ପ୍ରାଜକ୍ତା କୋଲି ଓ ମନିଷ ପଲ୍ ଅଭିନୟ କରିଛନ୍ତି । ଏହା ପାରିବାରିକ ମନୋରଞ୍ଜନଧର୍ମୀ ଫିଲ୍ମ । ଏହା କିଆରାଙ୍କର ଏ ବର୍ଷର ୨ୟ ଧର୍ମା ପ୍ରୋଜେକ୍ଟ ।

ଫିଲ୍ମମେକର ଶଙ୍କରଙ୍କର ଏକ ନୂଆ ପ୍ରୋଜେକ୍ଟରେ ସେ କାମ କରୁଛନ୍ତି । ଏଥିରେ ସାଉଥ୍ ଷ୍ଟାର ରାମ ଚରଣ ତେଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ସୁଟିଂ ସେ ଏବେ ବି ଜାରି ରଖିଛନ୍ତି । ଏହା ତାଙ୍କର ପ୍ରଥମ ବହୁଭାଷୀ ଫିଲ୍ମ, ଯାହାକୁ ନେଇ ସେ ବହୁତ ଉତ୍ସାହିତ । ଚଳିତ
ମାସ ୨୦ ତାରିଖରେ ହରର-କମେଡି ‘ଭୁଲ୍ ଭୁଲେୟା-୨’ ସିନେମାଘରକୁ ଆସିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିସ ବଜ୍‌ମି । କାର୍ତ୍ତିକ ଆର୍ଯ୍ୟନ ଓ ତବୁ ଏଥିରେ ସ୍କ୍ରିନ୍ ଶେୟାର କରିଛନ୍ତି ।