୨୬ ଥର ଏଭରେଷ୍ଟ ଚଢ଼ି ନୂଆ ବିଶ୍ୱ ରେକର୍ଡ କଲେ କମି ରୀତା ଶେର୍ପା

କାଠମାଣ୍ଡୁ (ସଂକେତ୍ ଟିଭି) : ନେପାଳର କିମ୍ବଦନ୍ତୀ ପର୍ବତାରୋହୀ କମି ରୀତା ଶେର୍ପା ୨୬ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢ଼ି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୧୧ ଜଣିଆ ରୋପ୍ ଫିକ୍ସିଂ ଟିମ୍‌ର ନେତୃତ୍ୱ ନେଇ କମି ଗତକାଲି ଶିଖରରେ ପହଞ୍ଚି ନିଜ ନାମରେ ପୂର୍ବରୁ ରହିଥିବା ରେକର୍ଡ ଭାଙ୍ଗିଛନ୍ତି ।

ଶିଖରରେ ପହଞ୍ଚିବା ପରେ ଏହି ଟିମ୍ ରୋପ୍ ଫିକ୍ସିଂ କରି ସଫଳତାର ସହ ନିଜ ବେସ୍ କ୍ୟାମ୍ପକୁ ଫେରିଆସିଥିଲେ । ଏଭରେଷ୍ଟ ପର୍ବତାରୋହଣ ଋତୁ ପାଖେଇ ଆସୁଥିବା ଏବଂ ହଜାର ହଜାର ପର୍ବତାରୋହୀ ଏହି ଗିରିଶୃଙ୍ଗ ଚଢ଼ିବାକୁ ଅପେକ୍ଷା କରିଥିଲା ବେଳେ କମିଙ୍କ ନେତୃତ୍ବାଧୀନ ଟିମ୍ ଶିଖରରେ ରୋପ୍ ଫିକ୍ସିଂ କରିଛନ୍ତି । ଦଉଡି ବନ୍ଧା ଯିବା ଦ୍ୱାରା ଅନ୍ୟ ପର୍ବତାରୋହୀଙ୍କ ପାଇଁ ପାହାଡ ଚଢ଼ିବା ସହଜ ହେବ ।

୧୯୯୪ ମେ’ରେ ପ୍ରଥମ ଥର ପାଇଁ କମି ଏଭରେଷ୍ଟ ଚଢ଼ିଥିଲେ । ଗତ ବର୍ଷ ସେ ୨୫ ଥର ପାଇଁ ଏଭରେଷ୍ଟ ଚଢ଼ି କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ । ତାଙ୍କ ଭାଇ ଜଣେ ଟୁରିଷ୍ଟ ଗାଇଡ୍ ଓ ସେ ମଧ୍ୟ ୧୭ ଥର ଏଭରେଷ୍ଟ ଆରୋହଣ କରିସାରିଥିବା ଜଣାପଡିଛି ।