CulturalFeaturedLatest

ଖୋଲିବ କି ତାଜମହଲର ୨୨ଟି ଗୁପ୍ତ କୋଠରୀ ?

ଆଗ୍ରା (ସଂକେତ୍ ଟିଭି) : ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ । ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି ।

ସୂଚନାନୁସାରେ, ତାଜମହଲକୁ ନେଇ ଅଯୋଧ୍ୟା ବିଜେପି ଦାୟିତ୍ୱରେ ଥିବା ଗଣମାଧ୍ୟମ ପ୍ରଭାରୀ ଡ଼. ରଜନିସ କୁମାର ସିଂହଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି । ଏହାକୁ ନେଇ ଆବେଦନକାରୀ କହିଛନ୍ତି ଯେ, ବାରମ୍ବାର ଭାରତୀୟ ପ୍ରନିତତ୍ୱ ବିଭାଗକୁ ପଚରାଯାଇଥିଲା ଯେ କାହିଁକି ଏହି କୋଠରୀକୁ ବନ୍ଦ ରଖାଯାଇଛି ?

ସେମାନେ କୌଣସି ଉତ୍ତର ଦେଇନଥିବାରୁ ଏହାପରେ ସଂସ୍କୃତି ମନ୍ତ୍ରାଳୟକୁ ପଚରା ଯାଇଥିଲା । ସେମାନେ କହିଥିଲେ ଯେ ସୁରକ୍ଷା କାରଣରୁ ଏହି କୋଠାରୀଗୁଡ଼ିକୁ ବନ୍ଦ ରଖାଯାଇଛି । ତେବେ କାହା ଆଦେଶରେ ଏହା ବନ୍ଦ କରାଯାଇଛି ବୋଲି କିଛି ଉତ୍ତର ମିଳିନାହିଁ । ତେବେ ତାଜମହଲ ଏକ ଛୋଟ ସ୍ଥାନ ନୁହେଁ । ଏହି କୋଠରୀଗୁଡ଼ିକ କାହିଁକି ବନ୍ଦ ଅଛି ଏହାର ଉତ୍ତର ଦିଆଯିବା ଉଚିତ । ତେଣୁ କୋଠରୀ ଖୋଲି ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯାଉ ।

ସେହିପରି ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ ତାଜମହଲରେ ଏକ ପୁରାତନ ଶିବ ମନ୍ଦିର ଥିଲା । ମୋଗଲ ସମ୍ରାଟ ଶାହଜାହାନଙ୍କ ଦ୍ୱାରା ଶିବ ମନ୍ଦିରର ମୂର୍ତ୍ତି ଏବଂ ଶିଳାଲେଖ ତାଜମହଲ ଭିତରେ ଲୁଚି ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପ୍ରମାଣ ତାଜମହଲରେ ବର୍ତ୍ତମାନ ମଧ୍ୟ ଅଛି । ଏହି ପ୍ରମାଣ ଖୋଜିବା ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।