ସାମୁଦ୍ରିକ ବାତ୍ୟା ଅସାନି : ଓଡ଼ିଶା ଉପକୂଳ ମୁହାଁ ହେବ ବାତ୍ୟା

ଭୁବନେଶ୍ବର (ସଂକେତ୍ ଟିଭି) : ବାତ୍ୟା ଆସନି ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଏବେ ଏବେ ସମୁଦ୍ର ଭିତରେ ଭୀଷଣ ରୂପ ନେଇଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି ୧୧ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ଏହା ବର୍ତ୍ତମାନ କାକିନାଡ଼ା, ବିଶାଖାପାଟନମ୍‌ (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୩୧୦ କିଲୋମିଟର, ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୫୩୦ କିଲୋମିଟର, ଏବଂ ପୁରୀ (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୬୩୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ୨୨ ନମ୍ବର ବୁଲେଟିନରୁ ଜଣାପଡ଼ିଛି।

ତେବେ ବାତ୍ୟା ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦କିମି ରହିଛି । ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମେ ୧୧ ତାରିଖ ସକାଳ ସୁଦ୍ଧା କାକିନାଡା-ବିଶାଖାପାଟନମ୍‌ ଉପକୂଳ ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରେ ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପୁନଃବକ୍ର (କର୍ଭ) କରି କାକିନାଡା ଏବଂ ବିଶାଖାପାଟନମ୍‌ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବାର ସମ୍ଭାବନା ରହିଛି ଏବଂ ତା’ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉଭା ହେବାର ସମ୍ଭାବନା ରହିଛି।

ବାତ୍ୟା “ଅସାନି” ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।