ଭାରତ ପ୍ରସଙ୍ଗକୁ ନେଇ ଦୁଇ ପାକିସ୍ତାନୀ କ୍ରିକେଟ୍ରଙ୍କ ମଧ୍ୟରେ କଥା କଟାକଟି
ଇସଲାମାବାଦ (ସଂକେତ୍ ଟିଭି) : ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ କ୍ରିକେଟରଙ୍କ ଭିତରେ ଏବେ ବାକ୍ୟ ଯୁଦ୍ଧ ଦେଖିବାକୁ ମିଳିଛି । ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଓ ପୂର୍ବତନ ପାକିସ୍ତାନୀ ଖେଳାଳି ଦାନିଶ କନେରିଆଙ୍କ ଭିତରେ ଏହି ଛକାପଞ୍ଝା ଦେଖିବାକୁ ମିଳିଛି । ଯେଉଁଥିରେ ଏବେ ଭାରତ ମଧ୍ୟ ଏଣ୍ଟ୍ରି ମାରିଛି ।
ଏହି ଦୁଇ ଖେଳାଳି ନିଜ ନିଜ ଭିତରେ କଥା କଟାକଟି ହେବା ଭିତରେ ଦାନିଶ କାନେରିଆ, ଆଫ୍ରିଦିଙ୍କୁ ଜବାବ୍ ଦେଇ କହିଛନ୍ତି ‘ଭାରତ ଆମର ଶତ୍ରୁ ଦେଶ ନୁହେଁ’,ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇଛି । ଅସଲ କଥା ହେଉଛି, ଏହି ଦୁଇ ଖେଳାଳିଙ୍କ ଭିତରେ ଗତ କିଛି ଦିନ ହେଲା ଏଭଳି କଥା କଟାକଟି ଲାଗି ରହିଛି ।
କିଛି ଦିନ ତଳେ ଏକ ଇଣ୍ଟରଭ୍ୟୁ ଦେଇ ଦାନିଶ କାନେରିଆ କହିଥିଲେ, ସାହିଦ୍ ଆଫ୍ରିଦି ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିନେବାକୁ କହିଥିଲେ, ହେଲେ ସେ ତାଙ୍କ କଥାକୁ ଗୁରୁତ୍ୱର ସହ ନେଇନଥିଲେ । ଏହା ସହିତ ଆଫ୍ରିଦି ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ । ତେବେ ଏହାର ଜବାବ ଦେଇ ଆଫ୍ରିଦି କହିଥିଲେ, ଯଦି ମୋ ବିରୋଧରେ ତାଙ୍କର ଅଭିଯୋଗ ରହିଥିଲା, ତେବେ ସେ କାହିଁକି ପାକିସ୍ତାନ କ୍ରିକେଟ ବୋର୍ଡରେ ଅଭିଯୋଗ କଲେନି । ସେ ଶତ୍ରୁ ଦେଶର ଚ୍ୟାନେଲରେ ବସି ଇଣ୍ଟରଭ୍ୟୁ ଦେଉଛନ୍ତି, ଯାହାକି ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇପାରେ । ତେବେ ଏହି କଥା ପରେ, ଦାନିଶ ମଧ୍ୟ ଭାରତକୁ ଶତ୍ରୁ ଦେଶ ବୋଲି କହୁଥିବା ସାହିଦଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦାନିଶ କାନେରିଆ ପାକିସ୍ତାନ ପାଇଁ ମୋଟ ୬୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୨୬୧ଟି ୱିକେଟ୍ ନେଇଥିଲେ । ତେବେ ଅବସର ନେବା ପରେ, ସେ ଅନେକ ଥର ଅଭିଯୋଗ ଆଣିଥିଲେ ଯେ, ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ଅନେକଥର ପାକିସ୍ତାନ କ୍ରିକେଟ୍ ଟିମର ଡ୍ରେସିଂ ରୁମରେ ଦୁବ୍ୟବହାରର ସାମ୍ନା କରିବାକୁ ପଡିଥିଲା ।