ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟରେ ୩ ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି

ଭୁବନେଶ୍ବର (ସଂକେତ୍ ଟିଭି) : ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର (ଓୟୁଟିଆର୍)ର ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ପାଇଁ ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । ମୁଖ୍ଯମନ୍ତ୍ରୀ ଓୟୁଟିଆର ର ମାଷ୍ଟର ପ୍ଲାନକୁ ମଞ୍ଜୁର କରିଛନ୍ତି ।

ବର୍ତ୍ତମାନ ଓୟୁଟିଆର୍ ରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ । ଏହାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ ।

ଗୁଣାତ୍ମକ ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯିବ । ନୂଆ ନୂଆ ପାଠ୍ୟକ୍ରମ ଖୋଲାଯିବ । ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରାଯିବ । ଏଥି ପାଇଁ ଅଧିକ ସେଣ୍ଟର ଅଫ ଏକ୍ସିଲେନ୍ସ ମଧ୍ୟ ପ୍ରତିଷ୍ଠା କରାଯିବ । ଏହା ସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଷ୍ଟାର୍ଟଅଫ୍କୁ ଉତ୍ସାହିତ କରିବା ଲାଗି ବ୍ୟବସ୍ଥା କରାଯିବ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓୟୁଟିଆର୍ ର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓୟୁଟିଆର୍ ପୂର୍ବରୁ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା । ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ ସିଇଟି ନାମରେ ପ୍ରତିଷ୍ଠିତ ହୋଇଥିଲା । ୨୦୦୧ ମସିହାରେ ଭୁବନେଶ୍ବରର ଘାଟିକିଆରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟାମ୍ପସକୁ ଏହା ସ୍ଥାନାନ୍ତରିତ ହୋଇଥିଲା । ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି ନାକ୍ ର ଏ ଗ୍ରେଡ୍ ମାନ୍ୟତା ହାସଲ କରିଛି । ୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା ।