ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ (ସଂକେତ୍ ଟିଭି) : ଚଳିତ ବର୍ଷର ଆଇପିଏଲରେ ସବୁଠାରୁ ଅତି ଖରାପ ପ୍ରଦର୍ଶନ କରି ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଶକ୍ତ ଧକ୍କା । ଦଳର ପ୍ରମୁଖ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ଜନିତ କାରଣ ନେଇ ଆଥପିଏଲର ଅବଶିଷ୍ଟ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସେ ଖେଳିଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଅବସରରେ ଆହତ ହୋଇଥିଲେ । ତେଣୁ ପ୍ରଥମ ପର୍ଯାୟର କେତୋଟି ମ୍ୟାଚ ଖେଳି ପାରି ନ ଥିଲେ । ପୁଣି ଆହତ ହେବାରୁ ଗତ ୬ ତାରିଖ ଦିନ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ଖେଳି ପାରି ନ ଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ କୌଣସି ମ୍ୟାଚ ଖେଳି ପାରିବେ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୂର୍ଯ୍ୟକୁମାର ଚଳିତ ବର୍ଷ ୮ ମ୍ୟାଚ ଖେଳି ମୋଟ ୩୦୩ ରନ କରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ ୮ ମ୍ୟାଚରେ ପରାଜୟ ସ୍ୱିକାର କରି ଆଇପିଏଲର ପ୍ଳେ-ଅଫ ପର୍ଯ୍ୟାୟ ମ୍ୟାଚ ଖେଳିବା ସୁଯୋଗରୁ ପ୍ରାୟତଃ ବାଦ ପଡି ସାରିଛି । କେବଳ ଆତ୍ମ ସମ୍ମାନ ସହିତ ଅବଶିଷ୍ଟ ମ୍ୟାଚ ଜିତି ଆଇପିଏଲ ଅଭିଯାନ ଶେଷ କରିବା ବାକି ଅଛି ।