ସମ୍ପୂର୍ଣ୍ଣ ଡିଜିଟାଲ ହେବ ଜନଗଣନା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ଏହାଦ୍ୱାରା ଶତପ୍ରତିଶତ ସଠିକ ତଥ୍ୟ ମିଳିପାରିବଛ ସେ କହିଛନ୍ତି, ଜନ୍ମ ଓ ମୃତ୍ୟୁକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବ ।

ଶ୍ରୀ ଶାହା କହିଛନ୍ତି ଯେ ଇଲେକ୍‌ଟ୍ରୋନିକ୍‌ ପ୍ରକ୍ରିୟାରେ ଜନଗଣନା କରାଯିବା ସହ ଜନ୍ମ ଓ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରିବା ସମୟରେ ସହଜରେ ତଥ୍ୟ ସଂଗ୍ରହ କରାଯାଇପାରିବ । ଆସାମର କାମରୂପ୍‌ ଜିଲ୍ଲାରେ ଜନଗଣନା ନିର୍ଦ୍ଦେଶାଳୟର ନୂଆ କୋଠାକୁ ଉଦଘାଟନ କରି ଶ୍ରୀ ଶାହା ଏହା କହିଛନ୍ତି । ଡିଜିଟାଲ ଜନଗଣନା ପରବର୍ତ୍ତୀ ୨୫ ବର୍ଷ ପାଇଁ ଦେଶର ନୀତି ନିର୍ଦ୍ଧାରଣକୁ ନୂଆ ରୂପରେଖ ପ୍ରଦାନ କରିବ ।

ସେ କହିଛନ୍ତି, କରୋନା ସଂକ୍ରମଣ ଯୋଗୁଁ ୨୦୨୧ ଜନଗଣନାରେ ବିଳମ୍ବ ଘଟିଥିଲା ଓ ୨୦୨୪ରେ ଏହା ସମ୍ପୂର୍ଣ୍ଣ ହେବ । ସଠିକ୍‌ ଜନଗଣନା ବିନା କୌଣସି ବିକାଶମୂଳକ କାର୍ଯ୍ୟ ପାଇଁ ଯୋଜନା ଓ ପ୍ରକଳ୍ପ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ନୂଆ ସଫଫଓୟାରକୁ ଜନ୍ମ ଓ ମୃତ୍ୟୁ ସହ ସଂଯୋଗ କରାଯାଇ ତାହାକୁ ବହୁମୁଖୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇ ପାରିବ ।

ଶ୍ରୀ ଶାହା କହିଛନ୍ତି ଯେ ଶିଶୁଟିଏ ଜନ୍ମ ଗ୍ରହଣ କଲେ ସେ ୧୮ ବର୍ଷ ବୟସରେ ପହଞ୍ଚିବା ବେଳେ ସ୍ୱୟଂକୃତ ଭାବେ ତାହାର ସମସ୍ତ ତଥ୍ୟ ଅପଡେଟ୍‌ ହୋଇପାରିବ । ସ୍ୱୟଂକୃତ ଭାବେ ତାହାର ନାମ ଭୋଟର ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଯିବ । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ସ୍ୱୟଂକୃତ ଭାବେ ତାଙ୍କର ନାମ ଭୋଟର ତାଲିକାରୁ କଟିଯିବ । ଲୋକମାନେ ସେମାନଙ୍କର ଘର ବଦଳାଇଲେ ତାହା ମଧ୍ୟ ସଫଟଓୟାରରେ ଅପଡେଟ୍‌ ହୋଇଯିବ ।