ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିପାରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଅଷ୍ଟ୍ରେଲିଆରେ ଅକ୍ଟୋବର ମାସରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ, ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ବିଶ୍ୱକପ୍ ପୂର୍ବରୁ ଭାରତ ସହ ଟି- ୨୦ ସିରିଜ୍ ଖେଳିପାରେ କଙ୍ଗାରୁ ଦଳ । ଦୁଇ ଦେଶ ୱାଲର୍ଡ କପ୍ ପୂର୍ବରୁ ତିନୋଟି ଟି-୨୦ ମ୍ୟାଚରେ ଭେଟାଭେଟି ହୋଇପାରନ୍ତି ବୋଲି ଏବେ ସୂଚନା ମିଳୁଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଦଳ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିପାରେ । ଆଉ ଏହି ଗସ୍ତରେ ଦଳ ଟିମ୍ ଇଣ୍ଡିଆ ସହିତ ୩ଟି ଟି-୨୦ ମ୍ୟାଚ୍ ଖେଳିପାରେ । ତେବେ ଏହି ରିପୋର୍ଟ ଯଦି ସତ ହୁଏ ତେବେ ବିଶ୍ୱକପ୍ ପୂର୍ବରୁ ଆଉ ଏକ ସିରିଜ୍ ଖେଳିବ ରୋହିତ୍ ବାହିନୀ । ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଜାରି ରହିଛି । ଏହା ଶେଷ ହେବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ପାଂଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଯାହାକି ଜୁନ୍ ୯ରୁ ଆରମ୍ଭ ହେଇ ଜୁନ୍ ୧୯ ତାରିଖ ଯାଏଁ ଜାରି ରହିବ ।
ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ୍ ଖେଳିବା ପରେ ଟିମ୍ ଇଣ୍ଡିଆ ଆୟରଲ୍ୟାଣ୍ଡ ଗସ୍ତରେ ଯିବ । ଯେଉଁଠି ଦଳ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ । ତେବେ ଅଷ୍ଟ୍ରେଲିଆରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ସହ ବି ମ୍ୟାଚ୍ ଖେଳିବାକୁ ଅଛି । ତେଣୁ ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ଯଦି ଭାରତ ଗସ୍ତରେ ଆସେ ତେବେ ବିଶ୍ୱକପ୍ ପୂର୍ବରୁ ଆଉ ଏକ କ୍ରିକେଟ୍ ସିରିଜ୍ ଖେଳିବ ଭାରତୀୟ ଦଳ ।