ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ

ମସ୍କୋ (ସଂକେତ୍ ଟିଭି) : ୟୁକ୍ରେନ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକ ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି ।

ଏହି ଅବସରରେ ରୁଷର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି । ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଶଂସା କରିଛନ୍ତି । ବିଜୟ ଦିବସ ରେ ପୁଟିନ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେଭଳି କିଛି ବଡ ଘୋଷଣା କରିନାହାନ୍ତି ପୁଟିନ୍ । ତାସହ ନାଟୋ ପଡୋଶୀ ଅଂଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା । ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ମସ୍କୋରେ ପୁଟିନ ବିଜୟ ଦିବସ ପାଳୁଥିବା ବେଳେ, ଅନ୍ୟପଟେ ପୋଲାଣ୍ଡରେ ଅପଦସ୍ତ ହେଲେ ରୁଷୀୟ ରାଷ୍ଟ୍ରଦୂତ । ଓ୍ୱ।ର୍ସ ରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆଭିନ୍ଦ୍ରଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ । ୱାର୍ସରେ ଥିବା ସୋଭିଏତ୍ ଓ୍ବାର ମେମୋରିଆଲ୍ ନିକଟରେ ଏହି ଘଟଣା ଘଟିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି । ଏହି ଉପଲକ୍ଷେ ଓ୍ୱ।ର୍ସ ସ୍ଥିତ ସୋଭିଏତ ମିଲିଟାରୀ ସିମେଟାରୀ କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପାଇଁ ଯାଇଥିଲେ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ।

ତେବେ ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରୁଥିବା ପୋଲାଣ୍ଡର କିଛି ସାମାଜିକ କର୍ମୀ ତାଙ୍କୁ ଘେରିଯାଇ ହତ୍ୟାକାରୀ ବୋଲି ନାରାବାଜି କରିବା ସହିତ ୟୁକ୍ରେନ୍ ପତାକା ଉଡ଼ାଇଥିଲେ । ଏହି ସମୟରେ କିଛି ବିକ୍ଷୋଭକାରୀ ତାଙ୍କ ଉପରକୁ ନାଲି ରଙ୍ଗ ଫୋପାଡ଼ିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ଆକ୍ରମଣ ଦର୍ଶାଇ ତୀବ୍ର ନିନ୍ଦା କରିଛି ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।