ଏଣିକି ରାଜ୍ୟରେ ହେବ ଇ-କ୍ୟାବିନେଟ୍
ଭୁବନେଶ୍ବର (ସଂକେତ୍ ଟିଭି) : ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ୍ ‘ଇକ୍ୟାବିନେଟ୍’ ହେବା ସହିତ ଏହା କାଗଜ ରହିତ ହେବ । ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନ୍ଆଇସି) ଓଡିଶା ସରକାରଙ୍କ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଖୁବ୍ ଶୀଘ୍ର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନ୍ଆଇସି ମଧ୍ୟରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
ଥରେ ଅନ୍ଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ପୂର୍ଣ୍ଣ କ୍ୟାବିନେଟ୍ ଏବଂ ମନ୍ତ୍ରୀମଣ୍ଡଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ୱେବ ପ୍ଲାଟଫର୍ମକୁ ଆସିଯିବ । ଏ ସଂକ୍ରାନ୍ତୀୟ ଫାଇଲ୍ କାର୍ଯ୍ୟ ଏକପ୍ରକାର ଇତିହାସ ପାଲଟିବ । କ୍ୟାବିନେଟ୍ ବୈଠକ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଏକାଧିକ ବାର୍ତ୍ତାଳାପ ଓ ଫାଇଲ୍ ନେଣ ଦେଣ ହୋଇଥାଏ । ପ୍ରତ୍ୟେକ ବୈଠକ ପାଇଁ ବ୍ୟାପକ କାଗଜ, ତେଲ, ମାନବସମବଳ ସହିତ ସମୟ ବି ଖର୍ଚ୍ଚ ହୋଇଥାଏ ।
ଇ-କ୍ୟାବିନେଟ୍ ବ୍ୟବସ୍ଥାରେ କ୍ୟାବିନେଟ୍ ନିଷ୍ପତ୍ତିର ସମସ୍ତ ସୂଚନା ଡାଟାବେସରେ ରହିବା ସହିତ ଚାହିଁଲା ମାତ୍ରେ ତୁରନ୍ତ ତାହା ଉପଲବ୍ଧ ହେବ । ତେବେ କ୍ୟାବିନେଟ ସଂକ୍ରାନ୍ତୀୟ କେତେକ ଗୁପ୍ତ ତଥ୍ୟ ବାଦ୍ ଅନ୍ୟଗୁଡିକ ସହଜରେ ମିଳିପାରିବ । ଫାଇଲ୍ଗୁଡିକ ଇଲେକଟ୍ରୋନିକ ବ୍ୟବସ୍ଥାରେ ଗତି କରିବା ଫଳରେ କୌଣସି ଗୁପ୍ତ ତଥ୍ୟ ପ୍ରଘଟ ହେବାର ସମ୍ଭାବନା କ୍ଷୀଣ ବୋଲି ଅଧିକାରୀମାନେ ମତ ଦେଉଛନ୍ତି ।