ସମାଲୋଚକଙ୍କୁ ନିଶ୍ଚିତ ଜବାବ ଦେବି: ବିରାଟ କୋହଲି

ମୁମ୍ବାଇ (ସଂକେତ୍ ଟିଭି) : ଆଉଟ ଫର୍ମ ବ୍ୟାଟ୍ସମ୍ୟାନ ବିରାଟ କୋହଲି କହିଛନ୍ତି ଯେ ଆଗାମୀ ସମୟରେ ସୁଯୋଗ ଆସିଲେ ସମାଲୋଚକଙ୍କୁ ନିଶ୍ଚିତ ସଠିକ ମାର୍ଗରେ ଜବାବ ଦେବି । ବର୍ତ୍ତମାନ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ତେବେ ଏଥିରୁ ମୁକୁଳିବା ପାଇଁ ପ୍ରୟାସ ଜାରି ରଖିଛି । ଖୁବ ଶୀଘ୍ର ଏହି ସମସ୍ୟାକୁ ଦୂରେଇ ପାରିବି ବୋଲି ନିଜ ଉପରେ ଦୃଢ଼ ବିଶ୍ୱାସ ରଖିଛି ।

ଚଳିତ ଆଇପିଏଲରେ ମୋ ବିଫଳତାକୁ ଦେଖି ବିଭିନ୍ନ ମହଲରେ ସମାଲେଚନା କରା ଯାଉଛି । ଏପରିକି ଆଇପିଏଲ ଛାଡି କିଛି ଦିନ ବିଶ୍ରାମ ନେବାକୁ ମଧ୍ୟ ଅନେକ ପରାମର୍ଶ ଦେଉଛନ୍ତି । ମାତ୍ର ବର୍ତ୍ତମାନର ପରିସ୍ଥିତି ନେଇ ମୁଁ କେତେ ଚିନ୍ତିତ, ସେମାନେ ତାହା ବୁଝି ପାରୁ ନାହାନ୍ତି । ଏହି ସୁଯୋଗ ନେଇ ସେମାନେ ମୋତେ କ୍ରିକେଟ ଠାରୁ ସମ୍ପୂର୍ଣ୍ଣ ଦୂରେଇ ଦେବା ପାଇଁ ପ୍ରୟାସ କରୁଛନ୍ତି । ମାତ୍ର ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ମୁଁ ନୀରବରେ ସବୁ ସହିଯିବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ତେବେ ପରବର୍ତ୍ତୀ ସମୟକୁ ଅପେକ୍ଷା କରିବାକୁ ପଡିବ । କାରଣ ସୁଯୋଗ ଆସିଲେ ସମାଲୋଚକଙ୍କୁ ଉଚିତ ଜବାବ ଦେବି ।

ସୂଚନା ଯୋଗ୍ୟ ଯେ ପୂର୍ବତନ ଅଧିନାୟକ କୋହଲି ୨୦୧୯ରୁ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରି ନ ଥିବା ବେଳେ ଚଳିତ ଆଇପିଏଲରେ ୧୨ ମ୍ୟାଚ ଖେଳି ମୋଟ ୨୧୬ ରନ କରିଛନ୍ତି । ଏହା ସହିତ କୋହଲି ତିନି ମ୍ୟାଚରେ ପ୍ରଥମ ବଲ ସମ୍ମୁଖୀନ କରି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପ୍ୟାଭିଲିୟନ ଫେରିବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି । କୋହଲି ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ବାଙ୍ଗାଲୋର ଦଳର ନେତୃତ୍ୱ ନେଇ ଥିଲେ ହେଁ କେବେ ଆଇପିଏଳ ଟାଇଟଲ ହାସଲ କରି ପାରି ନ ଥିଲେ । ତେଣୁ ଚଳିତ ବର୍ଷ ସେ ଅଧିନାୟକ ପଦ ଛାଡି ଦେବା ପରେ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଳେସିସ ଦଳର ନେତୃତ୍ୱ ନେଉଛନ୍ତି ।