ଅନ୍ତର୍ଜାତୀୟ ନ ଖେଳି ୭ରୁ ୧୦ କୋଟି ଆୟ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଟି୨୦ କ୍ରିକେଟର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଥିବା ବେଳେ ଟେଷ୍ଟ୍‌ କ୍ରିକେଟ୍ ମରଣ ମୁହାଁ ବୋଲି ବେଶ କିଛି ବର୍ଷ ହେବ ଚର୍ଚ୍ଚା ଚାଲିଛି । ବହୁ ପୂର୍ବତନ ମହାନ ଖେଳାଳିମାନେ ଟେଷ୍ଟ୍‌ କ୍ରିକେଟର ଗୁରୁତ୍ୱ ଅପରିହାର୍ଯ୍ୟ କହି ଆସୁଥିଲେ ମଧ୍ୟ ବାସ୍ତବ ଚିତ୍ର ଅଲଗା । ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ସିଂହଙ୍କ ସଦ୍ୟତମ ପ୍ରତିକ୍ରିୟା ଏଭଳି ବୟାନ ରଖୁଛି ।

ଦୁଇ ଥର ବିଶ୍ୱକପ୍ ବିଜେତା ଯୁବରାଜ କହିଛନ୍ତି, “ଟେଷ୍ଟ୍ କ୍ରିକେଟ୍ ଏବେ ମରଣ ମୁହାଁ, ଲୋକମାନେ ଟେଷ୍ଟ୍‌ କ୍ରିକେଟ୍ ଦେଖିବାକୁ ଚାହୁଁଛନ୍ତି, ସଭିଏ ଟ୍ୱେଣ୍ଟି-୨୦ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି । ଫଟାଫଟ ଫର୍ମାଟର କ୍ରିକେଟରୁ ପ୍ରଚୁର ଅର୍ଥ ମିଳୁଥିବାରୁ ଖେଳାଳିମାନେ ସେମାନଙ୍କ ଅଗ୍ରାଧିକାରକୁ ପୁନଃବିଚାର କରିବାକୁ ବାଧ୍ୟ ହେଉଛନ୍ତି । କାହିଁକି ଜଣେ ୫ ଦିନ ଖେଳି ୫ ଲକ୍ଷ ପାଇବ? ଟ୍ୱେଣ୍ଟି- ୨୦ କ୍ରିକେଟ୍ ଖେଳି ସେ ଗୋଟିଏ ଋତୁରେ ସହଜରେ ୫୦ ଲକ୍ଷ ରୋଜଗାର କରିପାରିବ । ଏପରିକି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ବହୁ ଖେଳାଳି ବର୍ଷକୁ ୭-୧୦ କୋଟି ଆୟ କରିପାରୁଛନ୍ତି’ ।

ସମ୍ପ୍ରତି ବହୁ ଟେଷ୍ଟ ଖେଳୁଥିବା ଦେଶରେ ଫ୍ରାଞ୍ଚାଇଜ୍ ଭିତ୍ତିକ ଟ୍ୱେଣ୍ଟି-୨୦ କ୍ରିକେଟ୍ ଖେଳାଯାଉଛି । ଆଇପିଏଲ୍ ଜରିଆରେ ଭାରତ ଏହାର ନେତୃତ୍ୱ ମଧ୍ୟ ନେଉଛି । ଏହି ଅବସରରେ ଯୁବରାଜ ମଧ୍ୟ ୫୦ ଓଭରିଆ କ୍ରିକେଟର ଅସ୍ଥିତ୍ୱ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ଆପଣ ଟ୍ୱେଣ୍ଟି-୨୦ ମ୍ୟାଚ୍ ଦେଖିବା ପରେ ଦିନିକିଆ ମ୍ୟାଚ୍ ଦେଖନ୍ତୁ । ଏହା ଟେଷ୍ଟ୍ ମ୍ୟାଚ୍ ଭଳି ଲାଗିବ । ତେଣୁ ଟ୍ୱେଣ୍ଟି-୨୦ କ୍ରିକେଟ୍‌ ସବୁକିଛିକୁ ଟପିଯାଉଛି’ ବୋଲି ୨୦୧୧ ବିଶ୍ୱକପର ଏହି ଶ୍ରେଷ୍ଠ ଖେଳାଳି ପ୍ରକାଶ କରିଥିଲେ ।

ଭାରତ ପାଇଁ ୪୦ ଟେଷ୍ଟ୍‌, ୩୦୮ ଦିନିକିଆ, ୫୮ ଟ୍ୱେଣ୍ଟି- ୨୦ ଅନ୍ତର୍ଜାତୀୟ ଖେଳିଥିବା ଯୁବରାଜ ଏକମାତ୍ର ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି । ୨୦୦୭ ଟ୍ୱେଣ୍ଟି- ୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଦଳର ପ୍ରମୁଖ ସଦସ୍ୟ ଥିଲେ ।