ଏବର୍ଷ ଶିଘ୍ର ଆସିବ ମୌସୁମୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ସଅଳ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ମୌସୁମୀ । ଆସନ୍ତା ରବିବାର ଅର୍ଥାତ ମେ’ ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଆଣ୍ଡାମାନ୍‌ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ’ ୨୦ ବେଳକୁ ସକ୍ରିୟ ହେଉଥିଲା ମୌସୁମୀ । ଏବର୍ଷ ୫ ଦିନ ପୂର୍ବରୁ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ।

ପାଣିପାଗ ବିଭାଗର କହିବା ଅନୁସାରେ, ମୌସୁମୀ ଛୁଇଁବାର ପରବର୍ତ୍ତୀ ୫ ଦିନ ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ । ସ୍ୱାଭାବିକ ଭାବେ ମୌସୁମୀ ପ୍ରତିବର୍ଷ ମେ’ ୨୦ରେ ଆଣ୍ଡାମାନ ଛୁଇଁଥାଏ । ଆଣ୍ଡାମନ ଛୁଇଁବାର ୧୫ ଦିନ ପରେ ଅର୍ଥାତ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ଏଥର ବି ଜୁନ ୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ । ଯଦି ମୌସୁମୀ ଆଗମନର କୌଣସି ବିଳମ୍ବ ନୁହଏ ତାହେଲେ ୫ଦିନ ପୂର୍ବରୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

ଠିକ ସମୟରେ ମୌସୁମୀ ଆସିବା ଦେଶ ପାଇଁ ଏକ ସୁସମ୍ବାଦ ବୋଲି କୁହାଯାଉଛି । କାରଣ ଦେଶର କୃଷି ଉତ୍ପାଦନ ଓ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମୌସୁମୀ ବାୟୁର ସବୁଠାରୁ ଅଧିକ ପ୍ରଭାବ ରହିଛି । ଦେଶର ଅଧିକାଂଶ କୃଷି ଅଞ୍ଚଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇଥିବାରୁ ଠିକ ସମୟରେ ମୌସୁମୀ ଆସିଲେ ତାହା ଦେଶର କୃଷି ଉକ୍ସଊାଦନରେ ସହାୟକ ହେବ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ । ହାରାହାରି ଦୀର୍ଘ ମିଆଦୀ (ଏଲ୍‌ପିଏ) ଅନୁଯାୟୀ ସ୍ୱାଭାବିକ ବର୍ଷା ୯୮% ରହିବାର ସମ୍ଭାବନା ରହିଛି । ତେବେ ଏହାର ୫% ଉପରତଳ ହୋଇପାରେ ବୋଲି ଭରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏଲ୍‌ପିଏ ଅନୁଯାୟୀ ଜୁନ୍‌ରୁ ସେପେଫମ୍ବର ୪ ମାସ ମଧ୍ୟରେ ମୌସୁମୀ ଜନିତ ବର୍ଷା ପାଖାପାଖି ୮୮୧ ମିଲିମିଟର ହୋଇପାରେ । ଦେଶରେ ଯଦି ୯୬ରୁ ୧୦୪ % ବର୍ଷା ହୁଏ ତାହେଲେ ସ୍ୱାଭାବିକ ମୌସୁମୀ କୁହାଯିବ । ତେବେ ପଞ୍ଜାବ, ହାରିଆଣା, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତ ସମେତ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ଜୁନ ମାସରେ ୧୦୭ % ବର୍ଷା ହେବାକୁ ଥିବାବେଳେ ଜୁଲାଇରେ ଏହା ଶତପ୍ରତିଶତ ବର୍ଷା ଲାଗି ଆକଳନ କରାଯାଇଛି । ସେହିଭଳି ଅଗଷ୍ଟରେ ସାରା ଭାରତରେ ୯୫% ବର୍ଷା ଏବଂ ସେପେଫମ୍ବର ୯୦% ବର୍ଷା ହେବାର ଆକଳନ କରଯାଇଛି ।