CulturalLatest

ଜୁନରେ ବାଲେଶ୍ୱରରେ ପଲ୍ଲିଶ୍ରୀ ମେଳା

ବାଲେଶ୍ବର : (ସଂକେତ ଟିଭି) ଆସନ୍ତା ଜୁନ ମାସ ପ୍ରଥମାର୍ଦ୍ଧରେ ବାଲେଶ୍ବର ସହରର ଆଇ.ଟି.ଆଇ.ପଡିଆଠାରେ ଅନୁଷ୍ଠିତ ହେବ ପଲ୍ଲିଶ୍ରୀ ମେଳା । ଏହାର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁନ ମାସ ପ୍ରଥମାର୍ଦ୍ଧରେ ସ୍ଥାନୀୟ ଆଇ.ଟି.ଆଇ.ପଡିଆଠାରେ ପଲ୍ଲିଶ୍ରୀ ମେଳାର ଆୟୋଜନ ନିମନ୍ତେ ନିଷ୍ପତି ନିଆଯିବା ସହିତ ଏହାର ରୂପରେଖ ଉପରେ ଆଲୋକପାତ କରାଯାଇଥିଲା ।

ଏହି ମେଳାରେ ଡିଆରଡିଏ, ଓରମାସ, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ଏବଂ ଘରୋଇ ସଂସ୍ଥାର ଷ୍ଟଲ ସ୍ଥାନୀତ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା । ଏତଦବ୍ୟତୀତ ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମଧ୍ୟ ସହମତି ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ବ୍ୟବସାୟିକ ସଂସ୍ଥା ଓ ସାଂସ୍କୃତିକ ଦଳକୁ ଆମନ୍ତ୍ରଣ କରିବାକୁ ଉପସ୍ଥିତ ସଦସ୍ୟମାନେ ମତ ରଖିଥିଲେ ।

ମେଳା ଆୟୋଜନ ନିମନ୍ତେ ବିଭିନ୍ନ କମିଟି ଗଠନ, ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ହୋର୍ଡିଂ ଓ ଷ୍ଟଲ୍ ସ୍ଥାପନ, ପାନୀୟ ଜଳ, ଅଗ୍ନିଶମ ବ୍ୟବସ୍ଥା, ମେଳାର ପ୍ରଚାର ଓ ପ୍ରସାର, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଇତ୍ୟାଦି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହି ମେଳାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।