କଂଗ୍ରେସର ଚିନ୍ତା ଦୂର କରିବ ଚିନ୍ତନ ଶିବିର

ଉଦୟପୁର (ସଂକେତ୍ ଟିଭି) : ବୁଡ଼ିଯାଉଥିବା ନୌକାର ଅବସ୍ଥା ଯାହା ବର୍ତ୍ତମାନ ଦେଶରେ କଂଗ୍ରେସର ଅବସ୍ଥା ବି ସେଇଆ । ୨୨ ରାଜ୍ୟର ବିଧାନସଭା ଓ ଦୁଇ ଦୁଇଟି ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଯାଇଛି ଦଳର ଚିନ୍ତନ ଶିବିର । ତେବେ କଂଗ୍ରେସ ପାଇଁ ଏହା ନୂଆ ନୁହେଁ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ୪ର୍ଥ ଥର ପାଇଁ ଏହି ଚିନ୍ତନ ଶିବିର ଆୟୋଜନ କରିଛି । ଏହି ଚିନ୍ତନ ଶିବିରରେ ୱାନ୍ ଫ୍ୟାମିଲି, ୱାନ୍‌ ଟିକେଟ୍ ଫର୍ମୂଲା ଲାଗୁ କରାଯିବ ବୋଲି ଦଳ ଘୋଷଣା କରିଛି ।

ଏହାବାଦ୍‌ ପ୍ରଦେଶ ଅଧ୍ୟକ୍ଷ ଓ ଜିଲ୍ଲାଧ୍ୟକ୍ଷଙ୍କ ସମୟସୀମା ବି ସ୍ଥିର କରାଯାଇଛି । ଦଳର ଅନୁଶାସନକୁ ଶୃଙ୍ଖଳିତ କରିବା ଓ ବିଶୃଙ୍ଖଳା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦଳ ସ୍ଥିର କରିଛି । ସୋନିଆ ଗାନ୍ଧି ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ କି ଏବେ ସମୟ ଆସିଛି ଋଣ ପରିଶୋଧ କରିବାର ଓ ନେତାମାନେ ନିଜ ଇଚ୍ଛା ପରିତ୍ୟାଗ କରି ଦଳ ପାଇଁ କାମ କରନ୍ତୁ । ସୋନିଆଙ୍କ ଅଭିଭାଷଣ ପରେ ଉଦୟପୁର ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଗୋଟିଏ ଚର୍ଚ୍ଚା କି କ’ଣ ଉଦୟପୁରର ଚିନ୍ତନ ଶିବିର ଦଳ ପାଇଁ ନୂଆ ସୂର୍ଯ୍ୟ ଉଦୟର ସମ୍ଭାବନା ସୃଷ୍ଟି କରିବ? ଘୋର ଚିନ୍ତାରେ ଥିବା କଂଗ୍ରେସ କ’ଣ ଏହି ଚିନ୍ତନ ଶିବିର ପରେ ତା’ର ଚିନ୍ତା ଦୂର ହେବ ଏ ନେଇ ସବୁଠି ଆରମ୍ଭ ହୋଇଛି ଆଲୋଚନା ।

ସେହିପରି ଲଗାତାର ଅନ୍ତକନ୍ଦଳରେ ଗତି କରୁଥିବା ଗାନ୍ଧି ପରିବାରକୁ ପୁଣିଥରେ କଂଗ୍ରେସ ମଙ୍ଗୁଆଳ ଚୌକିରେ ବସାଇପାରେ ବୋଲି ପୁଣିଥରେ ଅଧ୍ୟକ୍ଷ ହୋଇପାରନ୍ତି ରାହୁଳ ଚିନ୍ତନ ଶିବିରରୁ ଅନୁମାନ କରାଯାଉଛି । ନିର୍ବାଚନରେ ପରାଜୟ ନେଇ ଲଗାତାର ଦଳରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ତେବେ ଏହି ଚିନ୍ତନ ଶିବିରରେ ଦଳର ପ୍ରାୟ ସବୁ ନେତା ଏକଜୁଟ୍‌ ହୋଇଛନ୍ତି । ପୁଣିଥରେ ରାହୁଳ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦଳର ନେତାମାନେ ଦାବି କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । କାରଣ ଚଳିତବର୍ଷ କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।