ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ, ଚିକେନ୍ କେଜି ୨୮୦

ଭୁବନେଶ୍ବର (ସଂକେତ୍ ଟିଭି) : ଗତ କିଛି ମାସ ହେବ ସବୁ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଖାଉଟିମାନେ ଅତିଷ୍ଠ ହୋଇପଡ଼ିଲେଣି । ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ପନିରିବା, ରନ୍ଧନ ଗ୍ୟାସ୍‌ର ଦର ବେଲଗାମ ଧରିଛି । ଏହା ଖାଉଟିମାନଙ୍କ ପାଇଁ କାଳ ପାଲଟିଛି । ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ପରେ ପରେ ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଲା । ଏହାକୁ ନେଇ ଗ୍ରାହକମାନେ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ କଲେ । କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବାବେଳେ ଏବେର ମହଙ୍ଗାମାଡ଼ ଖାଉଟିମାନଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ସଦୃଶ୍ୟ ହୋଇଛି ।

ସେହିପରି ନିକଟରେ ରନ୍ଧନ ଗ୍ୟାସ୍ ଦୁଇ ଦୁଇ ଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି ଘଟି ହଜାରେ ଟଙ୍କା ଉପରେ ରହିଛି । ଏହା ହାଣ୍ଡିଶାଳ ପାଇଁ ଚଡ଼କ ବୋଲି କୁହାଯାଉଛି । ଖାଇବା ତେଲ ଠାରୁ ଆରମ୍ଭ କରି ଅଟା, ଚିନି ଇତ୍ୟାଦିର ଦର ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ସେହିପରି ପନିପରିବା ଦରରେ ହାତ ମାରି ହେଉନି । ବର୍ତ୍ତମାନ ବାହାଘର ସିଜିନ ଚାଲିଥିବାରୁ ପନିପରିବା ଦର ଆକାଶ ଛୁଆଁ ଧରିଛି । ଏପରି କୌଣସି ପରିବା ନାହିଁ ଯାହାର କେଜି ପିଛା ଦର ୫୦ ଟଙ୍କା ତଳକୁ ରହିଛି ।

ସେହିପରି ଆଳୁ କେଜି ପିଛା ୩୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚିକେନ ଦର ୨୦୦ ଥିବାବେଳେ ଏବେ ୨୮୦ ଟଙ୍କାରେ ପହଞ୍ଚିଲାଣି । ଏସବୁ ଭିତରେ ପରିବା ଭିତରେ ଟମାଟୋର ଭାଉ ବଢ଼ିଯାଇଛି । ରାଜ୍ୟରେ ଆକାଶଛୁଆଁ ହୋଇଛି ଟମାଟୋ ଦର । ଟମାଟୋ କିଲୋ ୧୦୦ ଟଙ୍କା ଟପିଯାଇଛି । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି । କଟକରେ ଟମାଟୋ କେଜି ପିଛା ୧୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଭୁବନେଶ୍ୱରରେ ୧୦୦ ଟଙ୍କା ରହିଛି ।

ଅନ୍ୟପକ୍ଷରେ ବାଲେଶ୍ୱରରେ ଟମାଟୋ କେଜି ପଛା ପୂର୍ବରୁ ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୦ ଟଙ୍କାରେ ପହଂଚିଛି । ସେହିଭଳି ସମ୍ବଲପୁରରେ ୨୦ ଟଙ୍କା କେଜି ବୃଦ୍ଧି ପାଇ ୬୦ ଟଙ୍କା ଦର ପହଞ୍ଚିଛି । ଓଡ଼ିଶାରେ ଏବେ ଟମାଟୋ ଉତ୍ପାଦନ କମ୍ ରହିଛି । ସାଧାରଣତଃ ନାସିକ ଓ ରାୟପୁରରୁ ଟମାଟୋ ଓଡ଼ିଶା ବଜାରକୁ ଆସିଥାଏ । ବାତ୍ୟା ଅସାନୀ ଭୟରେ ଏହି ୨ ସହରରୁ ଭୁବନେଶ୍ୱରକୁ ଟମାଟୋ ଯୋଗାଣ ବନ୍ଦ ରହିଛି ।

ସେହିପରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଥିବାରୁ ବ୍ୟବସାୟୀମାନଙ୍କୁ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡ଼ିଛି । ଗୋଟିଏ ପଟେ ଆମଦାନୀ କମ୍ ଓ ଅନ୍ୟପଟେ ପରିବହନ ଖର୍ଚ୍ଚ ବୃଦ୍ଧିରୁ ଚଢ଼ା ଦରରେ ଟମାଟୋ ବିକ୍ରି କରିବାକୁ ବ୍ୟବସାୟୀ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇଛି । ତେବେ ଏକ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇବା ପରିତାପର ବିଷୟ ବୋଲି କୁହାଯାଇପାରେ ।