ଗହମ ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଗହମ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ରୋକ ଲଗାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଗହମର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ତତ୍କାଳ ପ୍ରଭାବରେ ଗହମ ରପ୍ତାନୀ ବନ୍ଦ ହୋଇଥିବା ସୂଚିତ କରିଛନ୍ତି। ତେବେ ପୂର୍ବରୁ ଜାରି ହୋଇସାରିଥିବା ଲେଟର ଅଫ କ୍ରେଡିଟ୍ ପୂରଣ କରାଯିବ ବୋଲି ସରକାର ଅଧିସୂଚନାରେ କହିଛନ୍ତି।

ଗହମ ଉତ୍ପାଦନରେ ଭାରତ ଋଷିଆ ଓ ୟୁକ୍ରେନ ପଛକୁ ରହିଛି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ଗହମ ଲାଗି ବୈଶ୍ୱିକ କ୍ରେତାମାନେ ଭାରତକୁ ମୁହାଁଇଥିଲେ। ଯୁଦ୍ଧ ପାଇଁ ବୈଶ୍ୱିକ ଗହମ ଦରରେ ଅନୁନ୍ୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ଏଣୁ ଭାରତର ଗହମ ରପ୍ତାନୀ ବୃଦ୍ଧି ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ମୂଲ୍ୟ ବଢିଛି।

ସେପଟେ ଅଟା ମୂଲ୍ୟ ବଢିବା ଏବେ ଭାରତରେ ଚିନ୍ତାର କାରଣ ପାଲଟିଛି। ସାରା ଦେଶରେ ଖାଦ୍ୟ ଶସ୍ୟ ମୂଲ୍ୟ ଏବେ ବଢିବାରେ ଲାଗିଛି । ଏଥିରେ ଅଟା ଓ ଗହମ ଜାତ ଉତ୍ପାଦ ମୂଲ୍ୟରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିକୁ ନଜରରେ ରଖି ସରକାର ରପ୍ତାନୀ ବନ୍ଦ ଲାଗି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ଗହମର ବୈଶ୍ୱିକ ମୂଲ୍ୟରେ ଅଚାନକ ବୃଦ୍ଧି ଭାରତ ସମେତ ପଡୋଶୀ ଓ ଅନ୍ୟ ଦୁର୍ବଳ ଦେଶଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି।