ନାଟୋରେ ସାମିଲ ନ ହେବାକୁ ଫିନଲାଣ୍ଡକୁ ଚେତାବନୀ

ମସ୍କୋ (ସଂକେତ୍ ଟିଭି) : ନାଟୋରେ ସାମିଲ୍ ହେବାକୁ ଯାଇ ୟୁକ୍ରେନ ଏବେ ରୁଷ ଆକ୍ରୋଶର ଶିକାର ହେବାରେ ଲାଗିଛି । ଦୀର୍ଘ ଅଢ଼େଇ ମାସ ଧରି ଉଭୟ ପକ୍ଷ ମଧ୍ୟରୋ ଘମାଘୋଟ ଲଢ଼େଇ ଜାରି ରହିଛି । ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହି ଜିଦିରୁ ଓହରିବାର ନାଁ ଧରୁନାହାଁନ୍ତି । ରୁଷ ଆକ୍ରମଣରେ ୟୁକ୍ରେନ୍‌ର ଅଧିକାଂଶ ସହର ଧ୍ୱଂସସ୍ତୂରେ ପରିଣତ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକ ଦେଶଛାଡ଼ି ଅନ୍ୟ ରାଷ୍ଟ୍ରରେ ଆଶ୍ରୟ ନେଇଛନ୍ତି ।

ସେହିଭଳି ରୁଷର ମଧ୍ୟ ବ୍ୟାପକ କ୍ଷତି ଘଟୁଛି । ଯୁଦ୍ଧ ଏବେ ଶେଷ ହେବାର ନାହିଁ ବୋଲି ରୁଷ ରାଷ୍ଟ୍ରତି ପୁଟିନ ଘୋଷଣା କରିବା ପରେ ଏହା ଆହୁରି ଅଧିକ ଦିନ ଜାରି ରହିବ ବୋଲି ଆଶା କରାଯାଉଛି । ଏସବୁ ଭିତରେ ୟୁକ୍ରେନ ପରେ ଉତ୍ତର ୟୁରୋପକୁ ଟାର୍ଗେଟ୍ କରିଛି ରୁଷ । ନାଟୋ ସଦସ୍ୟତାକୁ ନେଇ ଫିନଲାଣ୍ଡକୁ ଚେତାବନୀ ଦେଇଛି । ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହା ରୁଷ-ଫିନଲାଣ୍ଡ ସମ୍ପର୍କକୁ ପ୍ରଭାବିତ କରିବ ଓ ଏହାଦ୍ୱାରା ଉତ୍ତର ୟୁରୋପରେ ସ୍ଥିରତା ଓ ସୁରକ୍ଷା ଅଧିକ ପ୍ରଭାବିତ ହେବ ବୋଲି ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରୁଷ-ଫିନଲାଣ୍ଡ ମଧ୍ୟରେ ୧୩୦୦ କି.ମି. ଲମ୍ବର ସୀମା ରହିଛି । ଏହି ଦୃଷ୍ଟିରୁ ଫିନଲାଣ୍ଡ ସବୁବେଳେ ନିରପେକ୍ଷତା ଅବଲମ୍ବନ କରିଥାଏ । ତେବେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଫିନଲାଣ୍ଡ ନାଟୋରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛି । ଫିନଲାଣ୍ଡର ଏହି ନିଷ୍ପତ୍ତିକୁ ନେଇ ରୁଷ ରାଷ୍ଟ୍ରତି ଭବନ କ୍ରେମଲିନର ଜଣେ ମୁଖପାତ୍ର ଫିନଲାଣ୍ଡକୁ ଚେତାବନୀ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏଥିୂର୍ବରୁ ନାଟୋରେ ସାମିଲ ହେବା ପାଇଁ ଆବେଦନ କରାଯିବ ବୋଲି ଫିନଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଫିନଲାଣ୍ଡ ରାଷ୍ଟ୍ରପତି କହିଥିଲେ ଯେ, ନାଟୋରେ ସାମିଲ ହେଲେ ଫିନଲାଣ୍ଡର ସୁରକ୍ଷା ଅଧିକ ମଜଭୁତ ହେବ । ଗୋଟିଏ ପଟେ ଫିନଲାଣ୍ଡ ନାଟୋ ସଦସ୍ୟତା ପାଇଁ ଆବେଦନ କରିବାକୁ ମନସ୍ଥ କରିଥିବାବେଳେ ଅନ୍ୟପକ୍ଷରେ ସ୍ୱିଡେନ ବି ଏହି ସଦସ୍ୟତା ପାଇଁ ବହୁ ଶୀଘ୍ର ଆବେଦନ କରିବ ବୋଲି ଘୋଷଣା କରିଛି ।

ଅନ୍ୟପକ୍ଷରେ ରୁଷ ବିରୋଧରେ ପୂରା ବିଶ୍ୱକୁ ଏକଜୁଟ୍ କରିବା ପାଇଁ ଆମେରିକା ଲଗାତାର ଭାରତ ସହ ସମ୍ପର୍କରେ ରହିଛି ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଉଛି ।