ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ଅଗରତାଲା (ସଂକେତ୍ ଟିଭି) : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ବିଜେପି ହାଇକମାଣ୍ଡ ବିପ୍ଲବଙ୍କୁ ଇସ୍ତଫା ଦେବା ପାଇଁ ଆଜି ନିର୍ଦ୍ଦେଶ ଦେଇଥିଲେ ।

ତେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଆଜି ବସିଥିବାକୁ ଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ପାର୍ଟିର ନିଷ୍ପତ୍ତି ସର୍ବୋପରି। ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛି। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ବିପ୍ଳବ ଭେଟିଥିଲେ।

ବିପ୍ଳବ କୁମାର ଦେବଙ୍କ ଛବି ତ୍ରିପୁରାରେ ବିଜେପିର ସବୁଠୁ ବଡ ଚେହେରା ଭାବେ ରହି ଆସିଛି। ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ବିପ୍ଳବ ଦେବ ଦଳର ସବୁଠୁ ବଡ ଚେହେରା ମଧ୍ୟ ରହିଥିଲେ। ରାଜ୍ୟରେ ୨୫ ବର୍ଷର ପୁରୁଣା ବାମପନ୍ଥୀ ସରକାରଙ୍କୁ ହରାଇ ବିଜେପି ରାଜ୍ୟରେ ପ୍ରଥମ ସରକାର ଗଢିଥିଲା। ଏଥିରେ ବିପ୍ଳବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବିପ୍ଲବ ଦେବ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ପରେ ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ନେଇ ଦଳ ସଂଗଠନରେ ଅସନ୍ତୋଷର ମାହୋଲ ଲାଗି ରହିଥିଲା। ଏପରିକି ଦୁଇ ଜଣ ବିଧାୟକ ପାର୍ଟି ଛାଡି ଦେଇଥିଲେ। ଏମିତି ସ୍ଥିତିରେ ବିଧାନସଭା ନିର୍ବାଚନର ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ଉଠାଇବାକୁ ଚାହୁଁନଥିଲା। ଦିନକୁ ଦିନ ବିପ୍ଳବ ଦେବଙ୍କ ଉପରେ ଇସ୍ତଫାର ଚାପ ବଢିବାରେ ଲାଗିଥିଲା।

ଉଲ୍ଲେଖନୀୟ ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଗୁଜରାଟ ପରି ତ୍ରିପୁରାରେ ମନ୍ତ୍ରୀଠୁ ନେଇ ସାଂଗଠନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇପାରେ। ଇସ୍ତଫା ପରେ ବିପ୍ଳବ ସଂଗଠନରେ କୌଣସି ପଦ ସମ୍ଭାଳି ପାରନ୍ତି।