ଜେଲରେ ରହିବନି ଭିଆଇପି ସେଲ୍‌

ଚଣ୍ଡିଗଡ (ସଂକେତ୍ ଟିଭି) : କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ନେଲେ ବଡ଼ ନିଷ୍ପତ୍ତି । ଜେଲରେ ଚାଲିଥିବା ଭିଆଇପି ସେଲକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଏବେ ଜେଲରେ ଥିବା ଭିଆଇପି ସେଲକୁ ହଟାଇ ଦେଇଛନ୍ତି । ଭଗୱନ୍ତ ମାନ କହିଛନ୍ତି ଯେ ବର୍ତ୍ତମାନ ଜେଲ ଭିତରୁ କଳା ବ୍ୟବସାୟ ଚାଲିବ ନାହିଁ ।

ଏହି ପ୍ରସଙ୍ଗରେ ଅବହେଳା କରିଥିବା କିଛି ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ପଞ୍ଜାବର ଜେଲରେ କ୍ରମାଗତ ତଦାରଖ ଅଭିଯାନ ଚାଲିଛି । ତଦାରଖ ଅଭିଯାନ ସମୟରେ ଏପର୍ଯ୍ୟନ୍ତ ୭୧୦ ମୋବାଇଲ ଜବତ କରାଯାଇଛି । ଭିଆଇପି ସେଲକୁ ହଟାଇ ଦିଆଯିବା ସହ ଏବେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଜେଲ୍‌ ବା ସୁଧାର ଗୃହକୁ ଆସି ଏବେ ସବୁ ଅପରାଧୀ ଅପରାଧ କରିବା ପରିବର୍ତ୍ତେ ସୁଧୁରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପଞ୍ଜାବୀ କଣ୍ଠଶିଳ୍ପୀମାନଙ୍କୁ କଡା ଚେତାବନୀ ଦେଇଥିଲେ । ବନ୍ଧୁକ ସଂସ୍କୃତି ଏବଂ ଗେଙ୍ଗଷ୍ଟର ସଂସ୍କୃତି କୌଣସି ଗୀତରେ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଥିଲେ । ଏଭଳି କଲେ ଗାୟକ ଏବଂ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ।