ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତର ଅର୍ଥନୀତି ଏବେ ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି । ବିଶ୍ୱ ଓ ଘରୋଇ ବିକାଶକୁ ଦେଖିଲେ ଏହା ଜଣାପଡ଼ୁଛି । ଏବେ ସମୟ ଆସିଛି ଆର୍ଥିକ ନୀତିର ପୁନଃ ସଂଶୋଧନ ହେବାର ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କହିଛନ୍ତି ।

ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା । ଏହାପରେ ଶ୍ରୀ ଚିଦାମ୍ବରମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅଭିବୃଦ୍ଧି ଧିମା ହେବା ବର୍ତ୍ତମାନ ସରକାରର ହଲମାର୍କ ହୋଇଛି । ଗତ ୮ ବର୍ଷରେ ଏହା ଦେଖିବାକୁ ମିଳୁଛି । ମହାମାରୀ ପୂର୍ବରୁ ସ୍ଥିତି ଭିନ୍ନ ଥିଲା ବେଳେ ଏବେ ଏହା ସ୍ଥିର ହୋଇଛି । ସମୟ ଆସିଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଆର୍ଥିକ ସମ୍ପର୍କ ବିସ୍ତୃତ ସମୀକ୍ଷା ଆବଶ୍ୟକ ।

ସେହିଭଳି ଜିଏସ୍‌ଟି ଆଇନକୁ ଅତ୍ୟନ୍ତ ନିମ୍ନ ଭାବରେ ପ୍ରସ୍ତୁତ କରାଯାଇଛି ଓ ଅସାଧୁ ଭାବେ ଏହାକୁ ଅଣାଯାଇ ମୋଦି ସରକାରଙ୍କ ଦ୍ୱାରା ୨୦୧୭ରେ ଏହା ପ୍ରଣୟନ ହୋଇଛି । ସମସ୍ତେ ଏହା ଦେଖିଛନ୍ତି । ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ପୂର୍ବରୁ କେବେ ଏଭଳି ନଥିଲା । ଏହାର ତୁରନ୍ତ ପ୍ରତିକାରର ଆବଶ୍ୟକତା ରହିଛି ।

କଂଗ୍ରେସ ନେତୃତ୍ୱାଧୀନ ସରକାର ୧୯୯୧ରେ ଉଦାରୀକରଣର ନୂଆ ଯୁଗ ଆରମ୍ଭ କରିଥିଲା । ଫଳରେ ଦେଶକୁ ସମ୍ବଳ ସୃଷ୍ଟିରେ ଅତ୍ୟଧିକ ଫାଇଦା ମିଳିବା ସହ ନୂଆ ବ୍ୟବସାୟ ଓ ନୂଆ ଉଦ୍ୟୋଗ ସୃଷ୍ଟି ହୋଇଥିଲା । ଏହାଛଡ଼ା ବ୍ୟାପକ ଭାବେ ମଧ୍ୟମବର୍ଗ ଏହାର ଫାଇଥିଲା ବେଳେ ଲକ୍ଷାଧିକ ନିଯୁକ୍ତି ଓ ରତ୍ପାନୀ ବଢ଼ିଥିଲା । ୧୦ ବର୍ଷ ମଧ୍ୟରେ ୨୭ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଠାରୁ ଉପରକୁ ନିଆଯାଇଥିଲା ।

୩୦ ବର୍ଷ ପରେ ଏବେ ବିଶ୍ୱ ଓ ଘରୋଇ ବିକାଶ ଚିନ୍ତାଜନକ ହୋଇଛି । ଆର୍ଥିକ ନୀତିର ପୁନଃ ସଂସ୍ଥାପନ ଆବଶ୍ୟକ ପଡ଼ିଛି । ନୂଆ ଆର୍ଥିକ ନୀତିରେ ବୃଦ୍ଧି ପାଉଥିବା ଅସମାନତା, ୧୦%ରୁ ଅଧିକ ଲୋକ ସର୍ବାଧିକ ଦରିଦ୍ର ହେବା ଓ ବିଶ୍ୱ କ୍ଷୁଧା ଇଣ୍ଡେକ୍ସ ୨୦୨୧ରେ ଭାରତର ସ୍ଥାନ ୧୧୬ ଦେଶରେ ୧୦୧ ରହିବା ଆଦି ବିଷୟକୁ ଚିନ୍ତା କରିବାକୁ ପଡ଼ିବ । ବାହ୍ୟ ପରିସ୍ଥିତି ଏବେ ଆର୍ଥିକ ସ୍ଥିତି ଉପରେ ବୋଝ ପକାଇଛି । ତେବେ ସରକାର ନିଷ୍ଠୁର ଭାବେ ଏକ୍ଷେତ୍ରର ମୁକାବିଲା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।