ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଧାୱନ କିମ୍ବା ପାଣ୍ଡ୍ୟା ହେବେ ଅଧିନାୟକ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆଗକୁ ଭାରତୀୟ ଦଳ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସିରିଜ ସହିତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଥିବାରୁ ଦକ୍ଷିଣ ଆଫ୍ରିକା ବିକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ଏକାଧିକ ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି ।

ମୁଖ୍ୟତଃ ଅଧିନାୟକ ରୋହିତ ଶର୍ମା, ଉପ ଅଧିନାୟକ ତଥା ଓପନର କେଏଲ ରାହୁଲ , ବିରାଟ କୋହଲି, ୱିକେଟ କିପର ଇସାନ କିଷନ, ପେସ୍ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇ ଭେଟେରାନ ଓପନର ଶିଖର ଧାୱନ କିମ୍ବା ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ପ୍ଳେ ଅଫ୍ ପର୍ଯ୍ୟାୟରେ ପ୍ରବେଶ କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ କାହାକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବା ପାଇଁ ବିସିସିଆଇ ବିଚାର ବିମର୍ଷ ଚଳାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଚଳିତ ମେ ମାସ ୨୨ ତାରିଖ ଦିନ ଭାରତୀୟ ଦଳ ଚୂଡାନ୍ତ କରାଯିବ । ଆସନ୍ତା ଜୁଲାଇ ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ଗୋଟିଏ ଟେଷ୍ଟ ଓ ସୀମିତ ଓଭର ସିରିଜ ଖେଳିବା ପାଇଁ ଥିବା ବେଳେ ଦଳର ଏକାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜୁନ ୯ ତାରିଖ ଦିନ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ୪ ମ୍ୟାଚ କଟକ, ବିଶାଖାପାଟଣା, ରାଜକୋଟ ଓ ବେଙ୍ଗାଲୁରରେ ଅନୁଷ୍ଠିତ ହେବ ।

ଏହି ସିରିଜରେ ଏକାଧିକ ଯୁବ ପେସ୍‌ ବୋଲରଙ୍କୁ ଦଳରେ ସାମିଲ କରାଯିବା ସମ୍ଭାବନା ରହିଛି । ଏହି ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଶନିବାର ସମ୍ମତି ପ୍ରକାଶ କରିଛି ।