ଇଣ୍ଡିଆ ୱାଣ୍ଟସ୍ ମମତା ଦି ଅଭିଯାନ, ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଟିଏମ୍‌ସିର ସଂକଳ୍ପ

କୋଲକାତା (ସଂକେତ୍ ଟିଭି) : ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରାଇବା ପାଇଁ ସଂକଳ୍ପ ନେଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଟିଏମ୍‌ସି ‘ଇଣ୍ଡିଆ ୱାଣ୍ଟସ୍‌ ମମତା ଦି’ ନାମକ ଏକ ୱେବ୍‌ସାଇଟ୍‌ ଲଞ୍ଚ କରିଛି । ଏହି ୱେବ୍‌ସାଇଟ୍ ଲଞ୍ଚ ପରେ ଟିଏମ୍‌ସି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଅଭିଯାନର ନେତୃତ୍ୱ ନେବେ ଯୁବାନେତା ସଂଘମିତ୍ରା ବାନାର୍ଜୀ ।

ସେହିପରି ଟିଏମ୍‌ସିର ଯୁବନେତା ସୁଦୀପ ମୁଖାର୍ଜୀ ଓ ନିଲଞ୍ଜନ ଦାସ ଏହି ଅଭିଯାନର ଅନ୍ୟତମ ସଦସ୍ୟ ରହିଛନ୍ତି । ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପରେ ମମତାଙ୍କ ଟିଏମ୍‌ସି ଆସାମ, ତ୍ରିପୂରା, ଗୋଆରେ ନିଜର ସଂଗଠନକୁ ବିସ୍ତାର କରିଛି । ଗତ କିଛିଦିନ ତଳେ ଆସାମ ଟିଏମ୍‌ସି କାର୍ଯ୍ୟାଳୟକୁ ଅଭିଷେକ ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ପୂର୍ବରୁ ଟିଏମ୍‌ସି ପ୍ରତ୍ୟାଖ୍ୟାନ କରିସାରିଛି ।

ଟିଏମ୍‌ସି ନେତା ଶୁଖେନ୍ଦ୍ର ରାୟ କହିଛନ୍ତି କି କଂଗ୍ରେସ ସହ ମେଣ୍ଟ କରିବାର ଅର୍ଥ ସୁଇସାଇଡ୍ କରିବା ସହ ସମାନ । କଂଗ୍ରେସର କେବଳ ଟ୍ୱିଟ୍ ରାଜନୀତି ଛଡ଼ା ଆଉ କିଛି ଅସ୍ତିତ୍ୱ ନାହିଁ ବୋଲି ମମତା କହିଥିଲେ । କଂଗ୍ରେସ ମଧ୍ୟ ଏ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ କିଏ ହେବ ସେ ନେଇ ସ୍ପଷ୍ଟ କରିପାରୁ ନାହିଁ । ଏପରିସ୍ଥଳେ ବିଜେପିକୁ ଟକ୍କର ଦେବା ପାଇଁ ମମତା ହିଁ ଏକମାତ୍ର ବିକଳ୍ପ ବୋଲି ବହୁ ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି । ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାୟନ୍ ଏହି ଅବସରରେ କହିଛନ୍ତି କି ପଶ୍ଚିମବଙ୍ଗ ପରେ ଏବେ ଦେଶକୁ ମମତା ଦରକାର । ସୂଚନାଥାଉକି ପଶ୍ଚିମବଙ୍ଗର କୌଣସି ବ୍ୟକ୍ତି ଏ ପର୍ଯ୍ୟନ୍ତ ଦେଶରେ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ।