ଇଡି ଜାଲରେ ମାଲାୟାଲମ ଅଭିନେତା ମୋହନଲାଲ

ମୁମ୍ବାଇ (ସଂକେତ୍ ଟିଭି) : ଲୋକପ୍ରିୟ ମାଲାୟାଲମ ଅଭିନେତା ମୋହନଲାଲ ବିଶ୍ୱନାଥନ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜାଲରେ ଫଶିଛନ୍ତି । ବେଆଇନ ଅର୍ଥ କାରବାର ମାମଲାରେ ଇଡି ମୋହନଲାଲଙ୍କୁ ସମନ କରିଛି । ଆସନ୍ତା ସପ୍ତାହରେ ତାଙ୍କୁ କୋଚି ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି ।

କୁଖ୍ୟାତ ଆଣ୍ଟିକ୍‌ ଡିଲର ତଥା ଠକ ମୋନସନ ମାଭୁଙ୍କଲ ସହ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କର କ’ଣ ସମ୍ପର୍କ ରହିଛି ସେନେଇ ଇଡି ପଚରାଉଚରା କରିପାରେ । ଲୋକଙ୍କଠାରୁ ୧୦କୋଟି ଟଙ୍କା ଠକିଥିବା ମାମଲାରେ ଗତବର୍ଷ ସେପେଫମ୍ବର ମାସରେ ମୋନସନଙ୍କୁ କେରଳ ପୁଲିସ ଗିରଫ କରିଥିଲା । ମୋହନଲାଲ ଥରେ ମୋନସନଙ୍କ କେରଳ ସ୍ଥିତ ଘରକୁ ଯାଇଥିଲେ, ହେଲେ ସେ କେଉଁ କାରଣ ପାଇଁ ଯାଇଥିଲେ ସେନେଇ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ନକଲି ପ୍ରାଚୀନ ସାମଗ୍ରୀ ବିକ୍ରି କରି କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ କେରଳ ପୁଲିସ ୫୨ ବର୍ଷୀୟ ମୋନସନକୁ ଗିରଫ କରିଥିଲା । ସେ ନିଜକୁ ପ୍ରାଚୀନ ବସ୍ତୁର ସଂଗ୍ରହକର୍ତ୍ତା ବୋଲି ଲୋକ ସମ୍ମୁଖରେ ପ୍ରତିପାଦିତ କରୁଥିଲା । ଟିପୁ ସୁଲତାନଙ୍କ ସିଂହାସନ, ଆଉରଙ୍ଗଜେବଙ୍କ ମୁଦ୍ରିକା, ଛତ୍ରପତୀ ଶିବାଜୀଙ୍କ ଭଗବତ୍‌ ଗୀତାର ପଟି ଏବଂ ସେଣ୍ଟ ଏଣ୍ଟନୀଙ୍କ ନଖ ଭଳି ଦୁର୍ଲଭ ଜିନିଷ ସେ ରଖିଥିବା ଦାବି କରୁଥିଲା । ତଦନ୍ତକାରୀ ଅଧିକାରୀମାନେ ତା’ର ଦାବିକୁ ମିଥ୍ୟା ବୋଲି କହିଛନ୍ତି ।