ପୁଟିନ୍‌ଙ୍କୁ ହଟାଇବା ପାଇଁ ଋଷରେ ଆରମ୍ଭ ହେଲା ବିଦ୍ରୋହ

ମସ୍କୋ (ସଂକେତ୍ ଟିଭି) : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ଙ୍କୁ ବିତାଡ଼ିତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି ଏବଂ ତାହାକୁ ଅଟକାଇବା ଅସମ୍ଭବ ବୋଲି ଜଣେ ଶୀର୍ଷସ୍ତରୀୟ ୟୁକ୍ରେନୀୟ ସେନା ଅଧିକାରୀ କହିଛନ୍ତି ।

ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେନା ଅଧିକାରୀ ମେଜର୍‌ ଜେନେରାଲ୍‌ କିରିଲୋ ବୁଦାନୋଭ୍‌ ଭବିଷ୍ୟବାଣୀ କରିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ମଧ୍ୟଭାଗ ବେଳକୁ ଯୁଦ୍ଧ ଭିନ୍ନ ମୋଡ଼ ନେବ ଏବଂ ବର୍ଷ ଶେଷକୁ ଯୁଦ୍ଧର ଅବସାନ ଘଟିବ । ଯଦି ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧରେ ପରାସ୍ତ ହୁଏ, ପୁଟିନ୍‌ଙ୍କୁ ବହିଷ୍କାର କରାଯିବ ଏବଂ ତାଙ୍କ ଦେଶରେ ବିପର୍ଯ୍ୟୟ ଘଟିବ । ଶେଷରେ ରୁଷୀୟ ସଂଘର ନେତୃତ୍ବର ପରିବର୍ତ୍ତନ ଘଟିବ । ଏ ପ୍ରକ୍ରିୟା ଆରମ୍ଭ ହୋଇ ସେ ଦିଗରେ ଗତି କରୁଛି ବୋଲି ମେଜର୍‌ ଜେନେରାଲ୍‌ ବୁଦାନୋଭ୍‌ କହିଛନ୍ତି ।

ବିଦ୍ରୋହ ଚାଲିଛି କି, ବୋଲି ପଚରାଯିବାରୁ ସେ କହିଲେ, ହଁ । ବିଦ୍ରୋହ ଆରମ୍ଭ ହୋଇସାରିଛି ଏବଂ ତାହାକୁ ଅଟକାଇବା ଅସମ୍ଭବ । ମେଜର୍‌ ଜେନେରାଲ୍‌ ବୁଦାନୋଭ୍‌ ଆହୁରି ମଧ୍ୟ କହିଛନ୍ତି, ପୁଟିନ୍‌ କର୍କଟ ଏବଂ ଅନ୍ୟାନ୍ୟ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି । ତାଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥା ଭଲନାହିଁ । ସେ ଖୁବ୍‌ ଅସୁସ୍ଥ । ଯୁଦ୍ଧରେ ରୁଷ୍‌ ବିପୁଳ କ୍ଷତିଗ୍ରସ୍ତ ହେଉଛି । ରୁଷକୁ ୟୁରୋପ୍‌ ମହାଶକ୍ତି ଭାବେ ଦେଖୁଥିଲେ ବି, ୟୁକ୍ରେନ୍‌ ଜାଣେ ବ୍ୟାପକ ଭାବେ ପ୍ରଚାର ହେଉଥିବା ରୁଷର କ୍ଷମତା ହେଉଛି କାଳ୍ପନିକ କଥାମାତ୍ର । ଯେତେ ପ୍ରଚାର ହେଉଛି, ରୁଷ୍‌ ସେତେ ଶକ୍ତିଶାଳୀ ନୁହେଁ । ରୁଷ୍‌ ହେଉଛି ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ଜନତାଙ୍କ ଭଣ୍ଡାର ।