ଭାରତୀୟ କିଷାନ ୟୁନିଅନ୍‌ ଦୁଇ ଫାଳ, ତଡ଼ା ଖାଇଲେ ଟିକାୟତ

ନୂଆଦିଲ୍ଲୀ (ସଂକେତ୍ ଟିଭି) :ଭାରତୀୟ କିଷାନ ୟୁନିଅନ(ବିକେୟୁ) କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୃଷି ଆଇନ ଲାଗୁ ହେବା ପରେ କୃଷକମାନେ କରିଥିବା ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ବିକେୟୁରୁ ବିଦା କରାଯାଇଛି । ରାକେଶଙ୍କ ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି । କୃଷକଙ୍କ ପାଇଁ ଲଢ଼ିବା ପରିବର୍ତ୍ତେ ରାଜନୀତି ଆଡ଼କୁ ଅଧିକ ଢଳିବାରୁ ଦୁହିଁଙ୍କୁ ବିକେୟୁର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।

ଚାଷୀଙ୍କ ଅସନ୍ତୋଷ ହେତୁ ଭାରତୀୟ କିସାନ ୟୁନିଅନକୁ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ମୃତ୍ୟୁ ବାର୍ଷିକୀରେ ଦୁଇ ଭାଗରେ ବିଭକ୍ତ ହୋଇଛି ଭାରତୀୟ କିସାନ ୟୁନିଅନ । ବିକେୟୁର ନୂତନ ସଂଗଠନ ଭାରତୀୟ କିଷାନ ୟୁନିୟନ (ଅଣରାଜନୈତିକ) ରବିବାର ଦିନ ରାଜେଶ ସିଂ ଚେହାନଙ୍କୁ ଏହାର ନୂତନ ଜାତୀୟ ଅଧ୍ୟକ୍ଷ ଭାବରେ ମନୋନୀତ କରିଛି । ଏଥିସହିତ ହରିନାମ ସିଂ ବର୍ମାଙ୍କୁ ନୂତନ ରାଜ୍ୟ ଅଧ୍ୟକ୍ଷ କରାଯାଇଛି ।

ବିକେୟୁର ପ୍ରତିଷ୍ଠାତା ସ୍ୱର୍ଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ମୃତୁ୍ୟ ବାର୍ଷିକୀ ଅବସରରେ ରବିବାର ଦିନ ଲକ୍ଷ୍ନୌରେ ଥିବା କୃଷକ ପ୍ରତିଷ୍ଠାନରେ ବିକେୟୁର ସଦସ୍ୟଙ୍କୁ ନେଇ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଟିକାୟତ ଭାଇମାନଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପକ୍ଷରେ ରାଜେଶ ଚୌହାନ ଅଭିଯୋଗ କରିଛନ୍ତି ଯେ ନରେଶ ଟିକାୟତ ଏବଂ ରାକେଶ ଟିକାୟତ ରାଜନୀତି କରୁଥିବା ଲୋକ । ବିଧାନସଭା ନିର୍ବାଚନରେ ସେମାନଙ୍କୁ ଏକ ଦଳ ପାଇଁ ପ୍ରଚାର କରିବାକୁ କୁହାଯାଇଥିଲା । କୃଷକଙ୍କ ସମସ୍ୟା ଛାଡ଼ି ସେ ରାଜନୀତିରେ ଅଧିକ ମନ ଦେଉଥିଲେ । ଏନେଇ ଅସନ୍ତୋଷ ପ୍ରକାଶ ପାଇବାରୁ ଆମେ ଭାରତୀୟ କିଷାନ ୟୁନିୟନ (ଅଣରାଜନେତିକ) ଗଠନ କରାଯାଇଛି । ଅସନ୍ତୋଷ ପ୍ରକାଶ ପାଉଥିବାର ଖବର ପାଇବା ପରେ ରାକେଶ ଟିକାୟତ ଶୁକ୍ରବାର ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ । ତଥାପି, ସେ ୟୁନିୟନର ସଦସ୍ୟଙ୍କୁ ନିଜ ସପକ୍ଷରେ କରି ପାରିନଥିଲେ ।