ଶ୍ରୀଲଙ୍କା ଦଶା ଭୋଗିବ ବାଂଲାଦେଶ!

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଶ୍ରୀଲଙ୍କାର ମୁଦ୍ରାରେ ବଡ଼ ଧରଣର ହ୍ରାସ ଘଟିଛି ଓ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଛି । ଏହାରି ମଧ୍ୟରେ ଭାରତର ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶକୁ ନେଇ ଏକ ଖରାପ ଖବର ଆସିଛି କି ସେଠାରେ ବି ବିଦେଶୀ ମୁଦ୍ରା ଭଣ୍ଡାର ଧିରେ ଧିରେ ସରି ସରି ଆସୁଛି । ଆନ୍ତର୍ଜାତିକ ବଜାରରେ ଜରୁରୀ ସାମଗ୍ରୀ, ଇନ୍ଧନ, ଅଶୋଧିତ ସାମଗ୍ରୀ ତଥା ଅନ୍ୟାନ୍ୟ ଜରୁରୀ ବସ୍ତୁର ଦରଦାମ ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ବାଂଲାଦେଶକୁ ଗ୍ରାସିଛି । ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ବାଂଲାଦେଶରେ ଉତ୍ପାଦନ ଖର୍ଚ୍ଚ ୪୪% ବୃଦ୍ଧି ଘଟିଥିବା ଜଣାଯାଇଛି ।

ବାଂଲାଦେଶର ଏକ ଖବରକାଗଜର ରିପୋର୍ଟ ଅନୁସାରେ ଯେଉଁଭଳି ଭାବେ ବାଂଲାଦେଶରେ ଉତ୍ପାଦନ ଖର୍ଚ୍ଚ ବଢ଼ି ଚାଲିଛି ସେହି ହିସାବରେ ରପ୍ତାନୀରୁ ଆୟ ହେଉନାହିଁ । ଏଥିଯୋଗୁଁ ବେପାର ବାଣିଜ୍ୟରେ ବହୁ କ୍ଷତି ହେଉଛି । ଏହାର ବିଶେଷ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ିଛି । ବାଣିଜ୍ୟରେ କ୍ଷତି ଗତ କିଛି ମାସ ହେବ ଧିରେ ଧିରେ ବୃଦ୍ଧି ପାଇଚାଲିଛି । ଆମଦାନୀ ଖର୍ଚ୍ଚକୁ ଭରଣା କରିବାକୁ ଯାଇ ଦେଶର ଗଚ୍ଛିତ ବିଦେଶୀ ଡଲାରର ବିକ୍ରି ଜାରି ରହିଛି । ଦେଶରେ ଆଉ ଯେତିକି ବିଦେଶୀ ମୁଦ୍ରା ରହିଛି ସେଥିରେ ଆଉ ମାତ୍ର ୫ ମାସ ପର୍ଯ୍ୟନ୍ତ ଆମଦାନୀ ଖର୍ଚ୍ଚ ଭରଣା କରାଯାଇପାରିବ ।

ଯଦି ବୈଶ୍ୱିକ ବଜାରରେ ଦରଦାମ ଆହୁରି ବୃଦ୍ଧି ପାଇବ ତେବେ ବାଂଲାଦେଶର ଆମଦାନୀ ଖର୍ଚ୍ଚ ଆହୁରି ବୃଦ୍ଧି ହେବ ଓ ବିଦେଶୀ ମୁଦ୍ରା ଭଣ୍ଡାର ୫ ମାସ ପୂର୍ବରୁ ପୂରା ଖାଲି ହୋଇଯିବ । ଡଲାର ସଂକଟରୁ ବର୍ତ୍ତିବା ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀର ଆମଦାନୀ ଉପରେ ରୋକ୍ ଲଗାଇବା ପାଇଁ କେତେକ କଟକଣା ଜାରି କରିଛନ୍ତି । ଶେଖ୍ ହସିନା ସରକାର ସରକାରୀ ଅଧିକାରୀଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଅର୍ଥନୀତିଜ୍ଞମାନେ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ଓ ସଂକଟରୁ ବର୍ତ୍ତିବା ପାଇଁ ଆଉ କିଛି କଠୋର ପଦକ୍ଷେପ ନେବା ଉପରେ ବିଚାରବିମର୍ଶ ଚଳାଇଛନ୍ତି ।