ଆମେରିକା ପାକିସ୍ତାନକୁ ତାର ଗୁଲାମ କରି ରଖିଛି : ଇମ୍ରାନ ଖାନ

ଇସଲାମାବାଦ୍ (ସଂକେତ୍ ଟିଭି) : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଆକ୍ରମଣ ନକରି ବି ପାକିସ୍ତାନକୁ ନିଜର ‘ଗୁଲାମ’ କରିଦେଇଛି ।

କେବଳ ଏତିକି ନୁହେଁ, ଇମ୍ରାନ ଖାନ ଶାହାବାଜ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାର ଚାହାନ୍ତି ନାହିଁ । ଗତ ମାସରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହା ପରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା ।

ଇମ୍ରାନ ଖାନ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନକୁ ‘ଗୁଲାମ’ କରିଦେଲା ଆମେରିକା ତାଙ୍କ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରିଛି । ତେବେ ସରକାର ହରାଇବା ପରେ ଇମ୍ରାନ ଖାନ ପାକିସ୍ତାନର ବିଭିନ୍ନ ସହରରେ ଅନେକ ସମାବେଶ କରିସାରିଛନ୍ତି । ଏମିତି କି ସେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ସରକାରକୁ ଦେଶଦ୍ରୋହୀ ତଥା ଦୁର୍ନୀତିଗ୍ରସ୍ତ ସରକାର ବୋଲି ବର୍ଣ୍ଣନା କରିସାରିଛନ୍ତି ।

ଆମେରିକାକୁ ଟାର୍ଗେଟ କରି ଇମ୍ରାନ ଖାନ କହିଛନ୍ତି ଯେ ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ଗୁଲାମ କରିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାରକୁ ଗ୍ରହଣ କରିବେ ନାହିଁ । ଆମେରିକା ଏକ ଏଭଳି ଦେଶ ଯିଏ ନିଜ ଲାଭ ରଖି ଅନ୍ୟକୁ ସାହାଯ୍ୟ କରିଥାଏ ।

କିଛି ଦିନ ପୂର୍ବରୁ ଇମା୍ରନଙ୍କ ଗଧ ଟିପ୍ପଣୀ ଖୁବ ଭାଇରାଲ ହୋଇଥିଲା । ଇମ୍ରାନ୍‌ ବ୍ରିଟେନରେ ରହିବା ସମୟର ଏକ ଅନୁଭୂତି ବାଣ୍ଟିବାକୁ ଯାଇ ଇଣ୍ଟରନେଟରେ ଏକ ପଡକାଷ୍ଟ୍‌ ଦେଇଥିଲେ । ଏଥିରେ ଇମରାନ୍ କହିଥିଲେ, ବ୍ରିଟେନରେ ମତେ ଭବ୍ୟ ସ୍ୱାଗତ କରାଯାଇଥିଲା । କିନ୍ତୁ ମୁଁ ଏହାକୁ କେବେ ନିଜ ଦେଶ ବୋଲି ଭାବିନାହିଁ । ସବୁବେଳେ ମୁଁ ପ୍ରଥମେ ଜଣେ ପାକିସ୍ତାନୀ ।